Site icon ଆଜିକାଲି

ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ୩୦.୫୦ ଟଙ୍କା କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୩୦.୫୦ ଟଙ୍କା ହ୍ରାସ ହୋଇଛି । ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କ ଆଶ୍ବସ୍ତି ଦେଇଛି ।

ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ଆଜି ଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କାକୁ ହ୍ରାସ କରାଯାଇଛି । କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ଏହି ଲାଭ ପାଇ ପାରିବେ ଉପଭୋକ୍ତା । ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର ୧୭୯୫ ଟଙ୍କା ରହିଥିଲା । ସେହିଭଳି କୋଲକାତାରେ ୧,୮୭୯ ଟଙ୍କା, ମୁମ୍ବାଇରେ ୧,୭୧୭.୫୦ ଟଙ୍କା ଓ ଚେନ୍ନାଇରେ ୧,୯୩୦ ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ଗତ ମାର୍ଚ୍ଚ ୧ ତାରିଖରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା ।

ଅନ୍ୟପକ୍ଷରେ ଏଥର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Exit mobile version