Site icon ଆଜିକାଲି

ଦିଲ୍ଲୀ ଗସ୍ତରେ ତୃତୀୟ ଦିନ, ଆଜି ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ନବୀନ


ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଉପସ୍ଥାପନ କରିବେ ନବୀନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ସ୍ବାର୍ଥ ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ନବୀନ। ୨୦୨୨ ସେପ୍ଟେମ୍ବରରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି । ଭୁବନେଶ୍ବର ବିମାନବନ୍ଦରରେ ଧୀରେ ଧୀରେ ଏୟାର ଟ୍ରାଫିକ ବୃଦ୍ଧି ପାଉଥିବାରୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପଡ଼ି ରହିଥିବା ପ୍ରସ୍ତାବକୁ ତୁରନ୍ତ ମଂଜୁର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ସେହିପରି ଭାରତ ନେଟ୍ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଉଦ୍ୟମୀ ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି ମାଗଣା ନେଟ୍ ସଂଯୋଗୀକରଣ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ । ଭାରତ ନେଟ୍ ର ଲିନିୟର ନେଟଓ୍ବର୍କକୁ ରିଙ୍ଗ୍ ନେଟଓ୍ବର୍କରେ ପରିଣତ କରି ସବୁ ଜିଲ୍ଲା ଓ ରାଜଧାନୀକୁ ଯୋଡ଼ିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଟେଲିକମ୍ ବିଭାଗ ଖାରଜ କରିଦେଇଛି । ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ଶିକାର ହେଉଥିବାରୁ ରିଙ୍ଗ୍ ନେଟଓ୍ବର୍କ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି କରିଥିଲେ ନବୀନ । ୨୦୧୭-୧୮ରୁ ୮ଟି ଜାତୀୟ ରାଜପଥ ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରୁ ୨ ହଜାର ୮୪୪ ପଞ୍ଚାୟତ ଅର୍ଥାତ ୪୨ ପ୍ରତିଶତ ପଞ୍ଚାୟତରେ ୫ ହଜାର ୭୭୪ରେ ବ୍ୟାଙ୍କ ଶାଖା ରହିଛି । ବଳକା ୫୮ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କର ସ୍ଥାୟୀ ଶାଖା ନାହିଁ । ଯଦିଓ ଲୋକଙ୍କ ସୁବିଧା ପାଇଁ ବ୍ୟବସାୟିକ ପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଇଛି, ହିତାଧିକାରୀମାନେ କିନ୍ତୁ ପଇସା ଉଠାଇ ପାରୁନାହାନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କର ସ୍ଥାୟୀ ବ୍ରାଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ସେହିଭଳି ବ୍ୟାଙ୍କକୁ ଯାଇପାରୁନଥିବା ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ଉଠାଣରେ ରିହାତି ଯୋଗାଇ ଦେବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ।

Exit mobile version