Site icon ଆଜିକାଲି

କେରଳରେ ଆଉ ଜଣେ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ, ଧାର୍ମିକ ସ୍ଥଳ, ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ କଟକଣା

କୋଝିକୋଡ: କେରଳରେ ନିପା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ନିପା ଭାଇରସର ଆଉ ଏକ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର କହିଛନ୍ତି ଯେ ଜଣେ ୩୯ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯିଏକି ଅନ୍ୟ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ।

କେରଳରେ ନିପା ସକ୍ରିୟ ମାମଲା ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସମ୍ପର୍କ ତାଲିକାରେ ଥିବା ଲୋକମାନଙ୍କ ଟେଷ୍ଟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଏକ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥିତିର ଅନୁଧ୍ୟାନ ପାଇଁ କୋଝିକୋଡ କଲେକ୍ଟରେଟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜର୍ଜଙ୍କ ବ୍ୟତୀତ ମନ୍ତ୍ରୀ ପିଏ ମହମ୍ମଦ ରିୟାସ, ଅହମ୍ମଦ ଦେବରକୋଭିଲ ଏବଂ ଏ.କେ ଶଶୀନ୍ଦ୍ରନ୍ ଯୋଗ ଦେଇଥିଲେ।

ନିପା ସଂକ୍ରମଣ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଆରଏମଏଲ ହସପିଟାଲ ଏବଂ ନିମହନ୍ସର ପାଞ୍ଚ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ କେରଳରେ ଅଛନ୍ତି ।

ନିପା ସଂକ୍ରମଣ ରୋକିବା ପାଇଁ କୋଝିକୋଡ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ସମାବେଶ ତଥା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ମଧ୍ୟ ବନ୍ଦ ରହିବ।

କୋଝିକୋଡରେ ୨୦୧୮ ଓ ୨୦୨୧ ଏବଂ ଏର୍ନାକୁଲାମରେ ୨୦୧୯ରେ ନିପା ଭାଇରସ ମିଳିଥିଲା | ଗୁରୁବାର ଏବଂ ଶୁକ୍ରବାର ବ୍ୟତୀତ ଜିଲ୍ଲା ପ୍ରଶାସନ ଶନିବାର କୋଝିକୋଡରେ ସବୁ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଛି।

Exit mobile version