Site icon ଆଜିକାଲି

ମଣିପୁର ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗ ଉପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଆଜି ସଂସଦରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଦୁଇଟି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏବଂ ବିଆରଏସ ସାଂସଦ ନାମା ନାଗେଶ୍ୱରା ରାଓ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ୍ ଦେଇଛନ୍ତି ।

ସିପିଆଇ ସାଂସଦ ବିନୟ ବିଶ୍ୱାମ କହିଛନ୍ତି, “ଏହି ଅନାସ୍ଥା ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ସଂସଦକୁ ଆସିବାକୁ ବାଧ୍ୟ କରିବ। ଆମକୁ ସଂସଦ ଭିତରେ ବିଶେଷ କରି ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା କରିବା ଜରୁରୀ। ସଂଖ୍ୟା ଭୁଲିଯାଆନ୍ତୁ ସେମାନେ ସଂଖ୍ୟା ଜାଣନ୍ତି ଏବଂ ଆମେ ସଂଖ୍ୟା ଜାଣୁ… ‘

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀଦଳର ସ୍ଲୋଗାନ ତଥା ହୋହଲ୍ଲା ମଧ୍ୟରେ ଲୋକସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିବାର ସମ୍ଭାବନା ନାହିଁ। ମୋଦୀ ସରକାରଙ୍କ ବିରୋଧରେ ୨୦୧୮ ପରେ ଏହା ଦ୍ୱିତୀୟ ଅନାସ୍ଥା ପ୍ରସ୍ତାବ। ଲୋକସଭାରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ୩୩୨ ସାଂସଦଙ୍କ ସମର୍ଥନ ରହିଥିବା ବେଳେ ବିରୋଧୀ ମେଣ୍ଟ‌ ‘ଇଣ୍ଡିଆ’ର ମାତ୍ର ୧୪୧ ସାଂସଦ ଅଛନ୍ତି ।

ଏହାପୂର୍ବରୁ ୨୦ ଜୁଲାଇ ୨୦୧୮ରେ ମୋଦୀ ସରକାରଙ୍କ ବିରୋଧରେ ଟିଡିପି ସାଂସଦ ଶ୍ରୀନିବାସ କେସିନେନିଙ୍କ ତରଫରୁ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଥିଲା।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଯେ ଉତ୍ତର-ପୂର୍ବର ଅବସ୍ଥା ଗୁରୁତର ଏବଂ ମଣିପୁର ହିଂସାର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖାଯାଉଛି। ମଣିପୁରରେ ୮୩ ଦିନ ଧରି ଚାଲିଥିବା ହିଂସା ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ଏକ ବିସ୍ତୃତ ବିବୃତ୍ତି ଦେବା ଆବଶ୍ୟକ। ଏବେ ସମୟ ଆସିଛି କେନ୍ଦ୍ର ସରକାର ନିଜ ଅହଂକାର ଛାଡ଼ି ମଣିପୁର ଉପରେ ଦେଶକୁ ବିଶ୍ବାସରେ ନିଅନ୍ତୁ।

Exit mobile version