Site icon ଆଜିକାଲି

ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏବଂ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୦ ଜଣ ସାଂସଦ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ବିରୋଧୀ ସାଂସଦ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏହାଛଡ଼ା ସେମାନେ ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତି ମୁର୍ମୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ରରେ ବିରୋଧୀ ସାଂସଦ ମଣିପୁରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି । ହିଂସା ପ୍ରଭାବିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କର ଦାୟିତ୍ବ ପାଳନ କରିବା ଜରୁରୀ। ମଣିପୁରର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ତୁରନ୍ତ ସଂସଦକୁ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ସାଂସଦ ।

ଉଲ୍ଲେଖଯୋଗ୍ୟ, ମଣିପୁର ସ୍ଥିତି ଅନୁଧ୍ୟାନ ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ଜଣ ସାଂସଦଙ୍କ ପ୍ରତିନିଧୀ ମଣ୍ଡଳୀ ନିକଟରେ ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇଥିଲା । ବିରୋଧୀ ଦଳର ସାଂସଦମାନେ ଅନେକ ରିଲିଫ କ୍ୟାମ୍ପ ଯାଇ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ । ଏହାଛଡ଼ା ସେମାନେ ମଣିପୁର ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

FacebookTwitterLinkedinWhatsapp
Exit mobile version