Site icon ଆଜିକାଲି

ଅତିକ୍-ଅଶରଫ ହତ୍ୟା ଘଟଣା: ୟୁପିରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ଯୋଗୀ ସରକାରକୁ ବରଖାସ୍ତ କରିବାକୁ ଦାବି

ଲକ୍ଷ୍ନୌ: ପୋଲିସ ଘେରରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଅଶରଫଙ୍କ ଗୁଳିକରି ହତ୍ୟା କରାଯିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେମାନେ ଯୋଗୀ ସରକାରକୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସପି)ର ସଭାପତି ଅଖିଳେଶ ଯାଦବ, ଅତିକ୍ ଓ ଅଶରଫଙ୍କୁ ହତ୍ୟା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି, “ଉତ୍ତର ପ୍ରଦେଶରେ ଅପରାଧ ଶୀର୍ଷରେ ପହଞ୍ଚିଛି ଏବଂ ଅପରାଧୀଙ୍କ ମନୋବଳ ବଢ଼ିଯାଇଛି । ଯେତେବେଳେ ପୋଲିସର ସୁରକ୍ଷା ଘେରରେ ଜଣଙ୍କୁ ଖୋଲାଖୋଲି ଗୁଳିକରି ହତ୍ୟା କରାଯାଉଛି, ତେବେ ସାଧାରଣ ଲୋକଙ୍କ ସୁରକ୍ଷାକୁ କିଏ ପଚାରେ ? ଏଭଳି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି | ଏଥିରୁ ଜଣାପଡୁଛି ଯେ କିଛି ଲୋକ ଜାଣିଶୁଣି ଏଭଳି ଭୟର ବାତାବରଣ ସୃଷ୍ଟି କରୁଛନ୍ତି।”

ବହୁଜନ ସମାଜ ପାର୍ଟି ସାଂସଦ କୁୱଁର ଦାନିଶ କହିଛନ୍ତି, ୟୁପିରେ ଜଙ୍ଗଲ ରାଜ୍ ଚାଲିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ “ଉପରୁ ନିର୍ଦ୍ଦେଶ ବିନା ଏହା ସମ୍ଭବ ନୁହେଁ। ଅନ୍ୟ କୌଣସି ଗଣତନ୍ତ୍ରରେ ଆଇନ ଶୃଙ୍ଖଳା ବିରୁଦ୍ଧରେ ଏପରି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରାଯାଇଥାନ୍ତା। ”

ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ର ସଭାପତି ତଥା ସାଂସଦ ଜୟନ୍ତ ଚୌଧୁରୀ ମଧ୍ୟ ଅତିକ୍ ଏବଂ ତାଙ୍କ ଭାଇଙ୍କ ଚାଞ୍ଚଲ୍ୟକର ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରରେ ଏହା ସମ୍ଭବ କି? ଏହି ଟ୍ବିଟରେ ସେସ ‘ଜଙ୍ଗଲ ରାଜ’ ହ୍ୟାସଟ୍ୟାଗ ରଖିଥିଲେ। ଚୌଧୁରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଅତିକ୍ ଏବଂ ଅଶରଫଙ୍କ ହତ୍ୟାକାଣ୍ଡର ଦୃଶ୍ୟ ରହିଛି ।

“ଅତିକଙ୍କ ସହ କାହାକୁ ବି ସହାନୁଭୂତି ନାହିଁ । କାରଣ ଅପରାଧୀଙ୍କୁ ଦଣ୍ଡ ମିଳିବା ଉଚିତ । କିନ୍ତୁ ଯିଏ ଏହି ଭିଡିଓ ଦେଖିଛି ସେ ପ୍ରଶ୍ନ କରିବ ଯେ ଆମେ ଏକ ଗଣତନ୍ତ୍ର କି? ପ୍ରତ୍ୟେକ ଅପରାଧୀଙ୍କ କୋର୍ଟରେ ନିଜ ପକ୍ଷ ରଖିବାକୁ ଅଧିକାର ରହିଛି ଏବଂ ସେମାନେ ସେଠାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି। କିନ୍ତୁ ଆପଣ ଦେଖିପାରୁଥିବେ ଯେ ପୋଲିସ ହାଜତରେ ସମସ୍ତଙ୍କ ସାମ୍ନାରେ ସେମାନଙ୍କୁ ହତ୍ୟା କରାଯାଇଛି।

ଚୌଧୁରୀ ଆହୁରି କହିଛନ୍ତି, “ରାଜ୍ୟରେ ସେ କେଉଁ ପ୍ରକାର ଆଇନ ଶୃଙ୍ଖଳା ରକ୍ଷା କରିଛନ୍ତି ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ । ଏହା ଜଙ୍ଗଲରାଜ ନୁହେଁ କି ? ଉତ୍ତର ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ଉଚିତ ନୁହେଁ କି?

ରାଜ୍ୟସଭା ସଦସ୍ୟ କପିଲ ସିବଲ ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତରପ୍ରଦେଶରେ ଦୁଇଟି ହତ୍ୟା: ୧- ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ, ୨- ଆଇନ କାନୁନ।

ଅନ୍ୟପକ୍ଷରେ, ୟୁପି ସରକାରଙ୍କ ସଂସଦୀୟ ବ୍ୟାପାର ଏବଂ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ଅତ୍ୟାଚାର ଶୀର୍ଷରେ ପହଞ୍ଚେ କିମ୍ବା ଅପରାଧ ଚରମରେ ପହଞ୍ଚେ, ସେତେବେଳେ ଦୈବିକ ନିଷ୍ପତ୍ତି ନିଆଯାଏ।…। ଏହା ସେହି ଦୈବୀ ନିଷ୍ପତ୍ତି ଥିଲା। ଏଥିର କିଛି କହିବାର ଆବଶ୍ୟକତା ନାହିଁ |

ୟୁପି ସରକାରଙ୍କ ଜଳ ଶକ୍ତି ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହି ଜନ୍ମରେ ହିଁ ପାପ-ପୁଣ୍ୟର ହିସାବ ହୋଇଥାଏ ।

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ୍ ଓ ତାଙ୍କ ଭାଇ ଅଶରଫଙ୍କୁ ପ୍ରୟାଗରାଜର କୋଲଭିନ୍ ହସ୍ପିଟାଲ ନିକଟରେ ଶନିବାର ରାତି ପ୍ରାୟ ୧୦.୩୦ ମିନିଟରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ଉଭୟଙ୍କୁ ମେଡିକାଲ ଚେକଅପ୍ ପାଇଁ ନେଉଥିଲା ବେଳେ ଏହି ଘଟଣା ଘଟିଥିଲା ‌। ପୋଲିସ ଭ୍ୟାନରୁ ଓହ୍ଲାଇ ଉଭୟ ହସ୍ପିଟାଲ ଆଡ଼କୁ ଯିବା ବେଳେ ସେମାନଙ୍କୁ ଅତି ନିକଟରୁ ତିନି ଯୁୁବକ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଅତିକ୍ ଓ ଅଶରଫଙ୍କ ମୃତ୍ୟୁ ହୋଇଥିଲା । ଏହି ପୂରା ଘଟଣା ଲାଇଭ୍ କ୍ୟାମେରାରେ କଏଦ୍ ହୋଇଯାଇଥିଲା । ଅତିକ୍ ଓ ଅଶରଫଙ୍କୁ ଗୁଳି ମାରିବା ପରେ ତିନି ଯୁବକ ‘ଜୟ ଶ୍ରୀରାମ’ ଧ୍ବନି ଦେଇଥିଲ। ଆତତାୟୀମାନେ ସାମ୍ବାଦିକ ବେଶରେ ଆସିଥିଲେ । ଘଟଣା ପରେ ତିନି ଯୁବକ ଆତ୍ମସମର୍ପଣ କରିଥିଲେ ।

ଉମେଶ ପାଲ ହତ୍ୟା ମାମଲାରେ ଉଭୟ ଅତିକ୍ ଓ ଅଶରଫ ପୋଲିସ ହାଜତରେ ଥିଲେ । ଉଭୟଙ୍କ ହାଜତ ମିଆଦ ରବିବାର ଶେଷ ହୋଇଥାନ୍ତା । ଏପ୍ରିଲ୍ ୧୩ରେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦକୁ ପୋଲିସ ଏନକାଉଣ୍ଟର କରିଥିଲା । ଝାନସୀରେ ୟୁପି ପୋଲିସ ଏନକାଉଣ୍ଟରରେ ଅସଦ ଓ ତାର ସହଯୋଗୀ ଗୁଲାମ ନିହତ ହୋଇଥିଲେ । ଉମେଶ ପାଲ ହତ୍ୟା ପରଠୁ ଅସଦ ଫେରାର୍ ଥିଲା । ଅତିକ୍ ଅହମ୍ମଦ ନାମରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଥିଲା ।

Exit mobile version