Site icon ଆଜିକାଲି

ହକି ବିଶ୍ୱକପ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ଆୟୋଜନ କମିଟି

ଭୁବନେଶ୍ୱର : ପୁରୁଷ ବିଶ୍ଵକପ ହକି ପାଇଁ ଆଉ ମାତ୍ର କିଛି ସପ୍ତାହ ଥିବା ବେଳେ ଆୟୋଜନ କମିଟି ଏ ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହକି ବିଶ୍ୱକପ ପାଇଁ ଚାଲିଥିବା ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ହକି ଇଣ୍ଡିଆ ଅଧିକାରୀମାନେ ବି ଉପସ୍ଥିତ ଥିଲେ ।

ବୈଠକରେ ଷ୍ଟାଡିୟମ ପ୍ରସ୍ତୁତି, ଯୋଗାଯୋଗ, ଅଭ୍ୟର୍ଥନା, ସୁରକ୍ଷା, ଟ୍ରାଫିକ ଓ ଭିଡ଼ ପରିଚାଳନା, ବିଶ୍ୱକପ ଉତ୍ସବ, ଡ଼ାକ୍ତରୀ ସୁବିଧା ଓ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ହକି ବିଶ୍ୱକପ ପାଇଁ ୨୦୨୨-୨୩ ବର୍ଷ ପାଇଁ ବଜେଟରେ ୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା।

ଆନ୍ତର୍ଜାତିକ ହକି ମହାସଂଘ -ଏଫ ଆଇଏଚ କଳିଙ୍ଗ ହକି ଷ୍ଟାଡିୟମରେ ନିକଟରେ ପୁନଃ ବିଛା ଯାଇଥିବା ଦୁଇଟି ନୂଆ ଟର୍ଫ ଓ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ( ମ୍ୟାଚ ଓ ଅଭ୍ୟାସ ପାଇଁ ) ବିଛା ଯାଇଥିବା ଦୁଇ ନୂଆ ଟର୍ଫକୁ ପ୍ରମାଣ ପତ୍ର ଦେଇ ସାରିଛି । ଦୁଇ ଷ୍ଟାଡିୟମରେ ଆଲୋକୀକରଣ ବ୍ୟବସ୍ଥାକୁ ମଧ୍ୟ ସାର୍ଟିଫିକେଟ ମିଳିସାରିଛି ଓ ତାହା କାର୍ଯ୍ୟକ୍ଷମ ହୋଇଛି । ସେହିପରି ଭୁବନେଶ୍ୱର ଓ ରାଉରକେଲାରେ ହକି ଦଳଙ୍କ ବିଭିନ୍ନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଛି । ହକି ଦଳଗୁଡିକ ପାଇଁ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉତ୍ସର୍ଗୀକୃତ ବିମାନ ଚଳାଚଳ କରିବ । ଆବଶ୍ୟକ ଅନୁମତି ମିଳିବା ପରେ ରାଉରକେଲାକୁ କମର୍ସିଆଲ ବିମାନ ଖୁବ ଶୀଘ୍ର ଉଡିବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ଆରମ୍ଭ ହେବ । ଭୁବନେଶ୍ଵରରେ ଏହି ସେବା ଆହୁରି ବ୍ୟବସ୍ଥିତ କରାଯାଉଛି । ମ୍ୟାଚ ଦିନ ଟିକେଟଧାରୀ ଦର୍ଶକଙ୍କ ପାଇଁ ମୋ ବସ ସେବା ମାଗଣା ରହିବ ।

ସମୀକ୍ଷା ବୈଠକରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ଏବଂ ପାର୍କିଂ ପରିଚାଳନା ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କଟକରେ ଜାନୁଆରୀ ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ ଉତ୍ସବ ପ୍ରସ୍ତୁତି ନେଇ ବି ସମୀକ୍ଷା ହୋଇଛି । ବିଶ୍ୱକପ ହକି ଉତ୍ସବ ସବୁ ଜିଲ୍ଲାରେ ଯେଭଳି ଭବ୍ୟ ଢଙ୍ଗରେ ପାଳନ କରାଯିବ, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିବା ନେଇ ତାଙ୍କ ସଚିବ ଭି. କେ ପାଣ୍ଡିଆନ ଆଜିର ବୈଠକକୁ ଅବଗତ କରିଥିଲେ। ହକି ବିଶ୍ୱକପର ଟ୍ରଫି ସବୁ ଜିଲ୍ଲା ବୁଲିବ । ଆୟୋଜକ ସହର ଭୁବନେଶ୍ୱର ଓ ରାଉରକେଲାରେ ସୈ।ନ୍ଦର୍ଯ୍ୟକରଣ କାମ ଖୁବ ଶୀଘ୍ର ଶେଷ ହେବ ବୋଲି ସମୀକ୍ଷା ବୈଠକରେ କୁହାଯାଇଛି । ସବୁସ୍ତରରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ନେଇ ବୈଠକରେ ସନ୍ତୋଷ ପ୍ରକାଶ କରାଯାଇଥିଲା ।

Exit mobile version