Site icon ଆଜିକାଲି

ପେସ୍ ସେନସେସନ୍ ମୟଙ୍କ ଯାଦବଙ୍କୁ ଖୁବଶୀଘ୍ର ମିଳିବ ବିସିସିଆଇ ଚୁକ୍ତି

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ ପେଟରେ ମାଂସପେଶୀ ଆଘାତ ଯୋଗୁଁ ଦ୍ରୁତ ବୋଲର ମୟଙ୍କ ଯାଦବ ଚଳିତ ଆଇପିଏଲର ଅବଶିଷ୍ଟ ଲିଗ୍ ମ୍ୟାଚ୍ ଖେଳିବା ସମ୍ଭାବନା ବହୁତ କମ୍। ଗତ ଚାରି ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆହତ ହୋଇଛନ୍ତି ମୟଙ୍କ। ତେବେ ନିଜ ପେସ୍ ବୋଲିଂ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଦିଲ୍ଲୀର ଏହି ୨୧ ବର୍ଷୀୟ ବୋଲରଙ୍କୁ ବିସିସିଆଇ ବଡ଼ ପୁରସ୍କାର ଦେଇପାରେ । ମୟଙ୍କଙ୍କୁ ଖୁବ୍ ଶୀଘ୍ର ‘ଦ୍ରୁତ ବୋଲିଂ’ ଚୁକ୍ତି ଦେବ ବିସିସିଆଇ। ମୟଙ୍କ ସମେତ ଉମ୍ରାନ୍ ମଲିକ୍, ବିଦ୍ୱଥ କାୱେରପ୍ପା, ବିଶିକ୍ ବିଜୟକୁମାର, ୟଶ ଦୟାଲ ଏବଂ ଆକାଶ ଦୀପଙ୍କୁ ମଧ୍ୟ ଏହି ଚୁକ୍ତି ଦିଆଯିବ।

ଏହି ଚୁକ୍ତି ପରେ ମୟଙ୍କ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ସ୍ପୋର୍ଟସ ସାଇନ୍ସ ଓ ମେଡିକାଲ୍ ଦଳର ତତ୍ତ୍ଵାବଧାନରେ ରହିବେ । ତାଙ୍କ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରିବର୍ତ୍ତେ ଏଣିକି ମୟଙ୍କଙ୍କ ଫିଟନେସ୍ ଦାୟିତ୍ଵ ଏନସିଏ ସମ୍ଭାଳିବ ।

ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତିି ଯେ, “ମୟଙ୍କ ଆହତ ହୋଇଛନ୍ତି କିନ୍ତୁ ତାଙ୍କ ଆଘାତ ଗ୍ରେଡ୍-୧ ଶ୍ରେଣୀର ହୋଇଥିବା ସମ୍ଭାବନା ଅଧିକ। ତେଣୁ ସେ ସୁସ୍ଥ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଯଦି ଏଲ୍ଏସଜି (ଲକ୍ଷ୍ନୌ ସୁପର ଜାଏଣ୍ଟସ୍) ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ହାସଲ କରେ, ତେବେ ସେ ନକ୍ଆଉଟ୍ ମ୍ୟାଚ୍ ଖେଳିବା ପାଇଁ ଫିଟ୍ ହୋଇପାରନ୍ତି। ବର୍ତ୍ତମାନ ପାଇଁ କିନ୍ତୁ ସେ ଆଇପିଏଲର ଅବଶିଷ୍ଟ (ଲିଗ୍ ପର୍ଯ୍ୟାୟ) ମ୍ୟାଚ୍ ଖେଳିବେ କି ନାହିଁ ସନ୍ଦେହ ।

ମୟଙ୍କ ଆଇପିଏଲର ପ୍ରାରମ୍ଭିକ ମ୍ୟାଚରେ ଘଣ୍ଟା ପ୍ରତି ୧୫୫ କିଲୋମିଟର ବେଗରେ ବୋଲିଂ କରିଥିଲେ । ସେ କ୍ରମାଗତ ଦୁଇଟି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ଆହତ ହେବା ପରେ ସେ ଚାରି ସପ୍ତାହ ପର୍ଯ୍ୟନ୍ତ ଖେଳରୁ ଦୂରେଇ ରହିଥିଲେ। ଫିଟନେସ୍ ପରୀକ୍ଷାରେ ପାସ୍ ହେବା ପରେ ସେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ୩.୧ ଓଭର ବୋଲିଂ କରିବା ପରେ ଆଘାତ କାରଣରୁ ସେ ଡଗଆଉଟକୁ ଫେରିବାକୁ ପଡ଼ିଥିଲା। ପଡ଼ିଆ ଛାଡ଼ିବା ପୂର୍ବରୁ ସେ ୩୧ ରନ୍ ଦେଇଥିଲେ।

ଯଦି ମୟଙ୍କ ଠିକ୍ ସମୟରେ ଫିଟ୍ ହୋଇଥାନ୍ତେ, ତେବେ ଟି-୨୦ ବିଶ୍ୱକପ ପାଇଁ ସେ ରିଜର୍ଭ ବୋଲର ଭାବେ ମନୋନୀତ ହୋଇଥାନ୍ତେ । କିନ୍ତୁ ବିସିସିଆଇ ତାଙ୍କ ମାମଲାରେ ସତର୍କତା ଅବଲମ୍ବନ କରୁଛି। ସୂତ୍ରରୁ ପ୍ରକାଶ, “ତାଙ୍କୁ ଶୀଘ୍ର ଏକ ଦ୍ରୁତ ବୋଲିଂ ଚୁକ୍ତି ଦିଆଯିବ ଏବଂ ବିସିସିଆଇ ତତ୍ତ୍ଵାବଧାନରେ ତାଙ୍କ ଫିଟନେସର ନିୟମିତ ତଦାରଖ କରାଯିବ। ଜାତୀୟ ଚୟନ କମିଟି ଏବଂ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କ ମାମଲାରେ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନି। ମୟଙ୍କ କିଭଳି ଶୀର୍ଷ ସ୍ତରର ଫିଟନେସ୍ ବଜାୟ ରଖିପାରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଶ୍ଚିତ କରୁଛି । “

Exit mobile version