Site icon ଆଜିକାଲି

ଆଜି କୋଲକାତାରେ ପାକିସ୍ତାନ-ଇଂଲଣ୍ଡ ଫାଇଟ୍‌, ସେମି ପାଇଁ ବଡ଼ ବିଜୟ ଦରକାର

କୋଲକାତା : ଦିନିକିଆ ବିଶ୍ୱକପ୍‌ । ଚଳିତ ବିଶ୍ୱକପ୍‌ରେ ଶନିବାର ଲିଗ୍‌ ପର୍ଯ୍ୟାୟର ବହୁ ଚର୍ଚ୍ଚିତ ମୁକାବିଲା ରହିଛି। ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ରାସ୍ତା କଠିନ ଥିଲେ ହେଁ ଏହି ମ୍ୟାଚ୍‌ ପାକିସ୍ତାନକୁ ସେମି ଫାଇନାଲ୍‌ରେ ପହଞ୍ଚାଇ ପାରିବ । ସେମି ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଅତି କମ୍‌ରେ ୨୮୭ ରନରେ ବିଜୟ ହାସଲ କରିବାକୁ ପଡ଼ିବ । ଏତେ ବଡ଼ ବ୍ୟବଧାନରେ ବିଜୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲେ ହେଁ ପାକିସ୍ତାନ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ ଥିବା ଅଧିନାୟକ ବାବର ଆଜମ କହିଛନ୍ତି । ଇଂଲଣ୍ଡ ସେମି ଦୌଡ଼ରୁ ବାଦ ପଡ଼ି ସାରିଛି । କେବଳ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

କେବଳ ଐଶ୍ୱରୀୟ ଶକ୍ତି ହିଁ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ କରିପାରିବ । ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କଲେ ଇଂଲଣ୍ଡକୁ ଅତି କମ୍‌ରେ ୨୮୭ ରନ୍‌ ବ୍ୟବଧାନରେ ହରାଇବାକୁ ହେବ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କଲେ ପାକିସ୍ତାନର ସେମି ଆଶା ଧୂଳିସାତ୍‌ ହୋଇଯିବ । ଇଂଲଣ୍ଡକୁ ୫୦ରେ ଅଲ୍‌ ଆଉଟ୍‌ କରି ୨ଓଭରରେ ଲକ୍ଷ୍ୟ ହାସଲ କରିବ । ୧୦୦ରନ୍‌ରେ ଅଲ୍‌ ଆଉଟ୍‌ କଲେ ୩ ଓଭରରେ ଲକ୍ଷ୍ୟ ହାସଲ କରିବ କିମ୍ବା ୧୫୦ ରନ୍‌ରେ ଅଲ୍‌ ଆଉଟ୍‌ କଲେ ୩.୪ଓଭରରେ ମ୍ୟାଚ୍‌ ଜିତିବାକୁ ହେବ । ଏହା ସମ୍ଭବ ହେଲେ ପାକିସ୍ତାନ ରନ୍‌ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇବ ।

ସେମିରେ ପ୍ରବେଶ କରିବା ପାଇଁ ଆଉ କିଛି ପରିସଂଖ୍ୟାନ ରହିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କଲେ ୩୦୦ ରନ୍‌ ସଂଗ୍ରହ କରିବ ଓ ଇଂଲଣ୍ଡକୁ ୧୩ ରନ୍‌ରେ ଅଲ୍‌ ଆଉଟ୍‌ କରିବ । ୪୦୦ ରନ୍‌ କଲେ ଇଂଲଣ୍ଡକୁ ୧୧୨ରନ୍‌ରେ ଅଲ୍‌ ଆଉଟ କରିବାକୁ ହେବ । ୪୫୦ ରନ୍‌ କଲେ ୧୬୨ ରନ୍‌ ଓ ୫୦୦ ରନ୍‌ କଲେ ଇଂଲଣ୍ଡ ୨୧୧ ରନ୍‌ରେ ଅଟକାଇବାକୁ ହେବ ।

Exit mobile version