Site icon ଆଜିକାଲି

ଏସସିଓ ସମ୍ମିଳନୀ ପାଇଁ ଭାରତରେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରି ଗୁରୁବାର ଗୋଆରେ ପହଞ୍ଚିଛନ୍ତି। ୧୨ ବର୍ଷ ପରେ ପାକିସ୍ତାନର ପ୍ରଥମ ବୈଦେଶିକ ମନ୍ତ୍ରୀ ଭାବେ ବିଲାୱାଲ ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ୨୦୧୧ରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନି ଖର୍ ଭାରତ ଆସିଥିଲେ। ଭାରତରେ ପହଞ୍ଚିବା ପରେ ବିଲାୱାଲ ଭୁଟ୍ଟୋ ଗଣମାଧ୍ୟମକୁ କହିଛନ୍ତି, “ଗୋଆକୁ ଆସି ମୁଁ ବହୁତ ଖୁସି, ମୁଁ ଆଶା କରୁଛି ଯେ ଏସସିଓ ବୈଠକ ସଫଳ ହେବ।”

ବିଲାୱାଲ ଭୁଟ୍ଟୋଙ୍କ ଭାରତ ଗସ୍ତ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକକୁ ଯିବା ଏସସିଓ ଚାର୍ଟର ପାଇଁ ଆମର ପ୍ରତିବଦ୍ଧତା ଦର୍ଶାଉଛି। ଏହି ଅଞ୍ଚଳରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆମେ ଆମର ଦାୟିତ୍ବ ନିର୍ବାହ କରିବାକୁ ପ୍ରସ୍ତୁତ।

୭ ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ । ତେଣୁ ବିଲାୱାଲ ଭୁଟ୍ଟୋଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ବିଲାୱାଲ ପାକିସ୍ତାନର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ। ବିଲାୱାଲ ଏପ୍ରିଲ ୨୦୨୨ରେ ମାତ୍ର ୩୩ ବର୍ଷ ବୟସରେ ପାକିସ୍ତାନର ସର୍ବ କନିଷ୍ଠ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ସେ ବହୁଥର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

Exit mobile version