Site icon ଆଜିକାଲି

ବିଶ୍ବକପରେ ଆଜି ପାକିସ୍ତାନ-ନେଦରଲାଣ୍ଡ୍ସ ମୁକାବିଲା

ହାଇଦ୍ରାବାଦ : ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍‌ ଖେଳିବ। ଶୁକ୍ରବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ ମ୍ୟାଚ୍‌ରୁ ପାକିସ୍ତାନ ସବୁଥିରେ ବିଜୟ ପାଇଥିଲା। ୱାର୍ମ ଅପ୍‌ ମ୍ୟାଚ୍‌ ବେଳେ ପାକିସ୍ତାନ ଏକାଧିକ ପରୀକ୍ଷାନୀରିକ୍ଷା କରିଥିଲା, କିନ୍ତୁ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ। କାରଣ ଏତେ ବର୍ଷ ପରେ ଭାରତରେ ଖେଳିବାକୁ ଆସିଥିବାରୁ ପାକିସ୍ତାନ ଏକ ବଡ଼ ଧରଣର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ଏଥି ସହିତ ହାଇଦ୍ରାବାଦ ପିଚ୍ ସବୁ ବେଳେ ହାଇସ୍କୋରିଂ ମ୍ୟାଚ୍‌ ପାଇଁ ଜଣାଶୁଣା। ପାକିସ୍ତାନ ମଧ୍ୟ ୱାର୍ମ ଅପ୍‌ରେ ପିଚ୍‌କୁ ଭଲଭାବେ ପରଖି ସାରିଛି। ଅଧିନାୟକ ବାବର ଅଜମ୍‌ ଏବେ ଭଲ ଲୟରେ ଅଛନ୍ତି। ୱାର୍ମ ଅପ୍‌ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ତେଣୁ ଏହି ଲୟକୁ ପ୍ରଥମ ମ୍ୟାଚ୍‌ରେ ବଜାୟ ରଖିବାକୁ ଚାହିଁବେ। ତେଣୁ ଫକର ଜମାନ, ଇଫତିକାର ଅହମଦ ଓ ସଦାବ ଖାନ୍‌ଙ୍କ ବ୍ୟାଟ୍‌ରୁ ବଡ଼ ରନ୍ ଆଶା କରାଯାଇପାରେ।

ନେଦରଲାଣ୍ଡ୍ସ ଯଦିଓ ଯୋଗ୍ୟତା ପର୍ଯ୍ୟାୟରୁ ବଡ଼ ଲମ୍ପ ମାରି ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛି, ତଥାପି ପାକିସ୍ତାନ ଭଳି ବଡ଼ ଦଳକୁ ସାମ୍ନା କରିବାକୁ ହେଲେ ଏହାର ବରିଷ୍ଠ ଖେଳାଳିମାନଙ୍କ ଉପରେ ଅରେଞ୍ଜ ଆର୍ମି ନିର୍ଭର କରିବ। ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ସହ ଲୋଗାନ ଭାନ୍‌ ବିକ୍‌, ରୋଇଲଫ୍‌ ଭାନ୍‌ ଦର ମରୱି ଓ ୱେସଲି ବାରେସିଙ୍କଠୁ ଦଳ ଭଲ ପ୍ରଦର୍ଶନ ଆଶା କରିବ। ଅନ୍ୟତମ ଅଲରାଉଣ୍ଡର ବାସ୍‌ ଡି ଲିଡେ ଦଳର ବଡ଼ ଅସ୍ତ୍ର। ଜିମ୍ବାୱେରେ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟରେ ସେ ୨୮୫ ରନ୍‌ ସଂଗ୍ରହ କରିବା ସହ ୧୫ ୱିକେଟ୍‌ ଅକ୍ତିଆର କରିଥିଲେ। ସ୍କଟଲାଣ୍ଡ ବିପକ୍ଷରେ ଶତକ ସହ ୫ ୱିକେଟ୍‌ ସଫଳତା ଯୋଗୁଁ ନେଦରଲାଣ୍ଡ୍ସ ବିଶ୍ବକପ୍‌ ଟିକେଟ ପାଇଥି‌ଲା।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌, ମହମ୍ମଦ ରିଜୱାନ, ସାଉଦ ସକିଲ୍‌/ଅଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମ୍ମଦ ନୱାଜ, ହାସନ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ।

ସମ୍ଭାବ୍ୟ ନେଦରଲାଣ୍ଡ୍ସ ଏକାଦଶ: ବିକ୍ରମଜୀତ ସିଂହ, ମ୍ୟାକ୍ସ ଓ’ଦାଉଦ୍‌, ୱେସଲି ବାରେସି, ବାସ୍‌ ଡି’ ଲିଡେ, କୋଲିନ୍‌ ଆକେରମାନ, ସ୍କଟ୍‌ ଏଡୱାର୍ଡ୍ସ, ରିୟାନ କ୍ଲେଇନ୍‌, ଲୋଗାନ୍ ଭାନ୍‌ ବିକ୍‌, ରୋଇଲଫ୍‌ ଭାନ ଦର ମରୱି, ସାରିଜ ଅହମଦ, ପଲ୍‌ ଭାନ୍‌ ମିକିରେନ୍‌।

Exit mobile version