Site icon ଆଜିକାଲି

ଚେନ୍ନାଇ ଓ କୋଲକାତାରେ ବିଶ୍ବକପ୍ ମ୍ୟାଚ୍ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷରେ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଦଳ ଚେନ୍ନାଇ ଓ କୋଲକାତାରେ ଅଧିକାଂଶ ମ୍ୟାଚ୍ ଖେଳିପାରେ । ଆଇସିସି ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ଯେବେ ଗତଥର ଭାରତ ଗସ୍ତରେ ଆସିଥିଲା ଦଳ ଏହି ଦୁଇଟି ଭେନ୍ୟୁରେ ନିଜକୁ ସୁରକ୍ଷିତ ମଣୁଥିଲା। ତେଣୁ ଏଥର ବିଶ୍ବକପରେ ମଧ୍ୟ ଏହି ଦୁଇଟି ଭେନ୍ୟୁରେ ଦଳ ନିଜର ଅଧିକାଂଶ ମ୍ୟାଚ୍ ଖେଳିବାକୁ ଚାହୁଁଛି ।

ଅକ୍ଟୋବର ୨ ତାରିଖରୁ ବିଶ୍ୱକପ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ୪୬ଟି ମ୍ୟାଚ୍ ଦେଶର ୧୨ଟି ସହରରେ ଖେଳାଯିବାର ସମ୍ଭାବନା ରହିଛି । ବିଶ୍ବକପ୍ ଭେନ୍ୟୁ ଭାବେ ଅହମ୍ମଦାବାଦ, ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବେଙ୍ଗାଲୁରୁ, ଦିଲ୍ଲୀ, ଇନ୍ଦୋର, ଗୁଆହାଟି ଓ ହାଇଦ୍ରାବାଦକୁ ସର୍ଟଲିଷ୍ଟ କରାଯାଇଛି | ଭାରତର କେଉଁ ଭେନ୍ୟୁରେ ପାକିସ୍ତାନ ଦଳ ନିଜ ମ୍ୟାଚ୍ ଗୁଡିକ ଖେଳିବ ସେନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛି। ତଥାପି ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ |

ଏହି ପ୍ରସଙ୍ଗରେ ଜଣେ ଆଇସିସି ଅଧିକାରୀ କହିଛନ୍ତି ଯେ ବିସିସିଆଇ ଏବଂ ଭାରତ ସରକାର ଯାହା ନିଷ୍ପତ୍ତି ନେବେ ତାହା ଉପରେ ଅନେକ କିଛି ନିର୍ଭର କରିବ । କିନ୍ତୁ ପାକିସ୍ତାନ ବିଶ୍ୱକପର ଅଧିକାଂଶ ମ୍ୟାଚ୍ କୋଲକାତା ଓ ଚେନ୍ନାଇରେ ଖେଳିବାକୁ ପସନ୍ଦ କରିବ । ସେ କହିଛନ୍ତି ଯେ ୨୦୧୬ ଟି-୨୦ ବିଶ୍ୱକପ ସମୟରେ କୋଲକାତାରେ ଭାରତ ବିପକ୍ଷ ମ୍ୟାଚ ସମୟରେ ପାକିସ୍ତାନ ଖେଳାଳିମାନେ ସୁରକ୍ଷାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

ଚେନ୍ନାଇ ପାକିସ୍ତାନ ପାଇଁ ଏକ ସ୍ମରଣୀୟ ଭେନ୍ୟୁ | ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ୧,୩୨,୦୦୦ ଦର୍ଶକ କ୍ଷମତା ରହିଛି । ଏଠାରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ କରିବା ଆଇସିସି ପାଇଁ ଲାଭଦାୟକ ହେବ। ତେବେ ଏହି ଷ୍ଟାଡିୟମରେ ବିଶ୍ୱକପ୍‌ର ଫାଇନାଲ ଖେଳାଯିବାକୁ ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଅନ୍ୟତ୍ର ଅନୁଷ୍ଠିତ ହେବ | ଆଇସିସିର ପ୍ରୋଗ୍ରାମିଂ କମିଟି ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିପାରେ ।

ନିକଟରେ ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ କହିଥିଲେ ଯେ, ପାକିସ୍ତାନ ଏହାର ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକ ବାଂଲାଦେଶରେ ଖେଳିପାରେ । କିନ୍ତୁ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଅଧ୍ୟକ୍ଷ ନଜାମ ସେଠୀ ଏବଂ ଆଇସିସି ଏହାକୁ ଖଣ୍ଡନ କରିଥିଲେ । ୨୦୧୧ ବିଶ୍ବକପରେ ପାକିସ୍ତାନ ମୋହାଲିରେ ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ଖେଳିଥିଲା। କାରଣ ପାକିସ୍ତାନୀ ପ୍ରଶଂସକମାନଙ୍କ ପାଇଁ ମୋହାଲି ଷ୍ଟାଡିୟମକୁ ଆସିବା ସହଜ ଥିଲା | ଏଥର କିନ୍ତୁ ମୋହାଲି ବିସିସିଆଇର ବିଶ୍ୱକପ ଭେନ୍ୟୁ ତାଲିକାରେ ନାହିଁ।

Exit mobile version