Site icon ଆଜିକାଲି

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେନି ପାଣ୍ଡ୍ୟା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚରେ ଆହତ ହୋଇଥିବା ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । କିନ୍ତୁ ସେ ପରେ ଦଳ ସହ ଯୋଗଦେବେ। ହାର୍ଦ୍ଦିକ ପୁଣେରୁ ସିଧା ବେଙ୍ଗାଲୁରୁ ଯାଇଛନ୍ତି । ସେ କିଛି ଦିନ ଏନସିଏରେ ରହିବେ । ଇଂଲଣ୍ଡର ଜଣେ ଡାକ୍ତର ତାଙ୍କ ଚିକିତ୍ସା କରିବେ ବୋଲି ଜଣାପଡିଛି । ଭାରତ‌ ରବିବାର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ହାର୍ଦ୍ଦିକଙ୍କୁ ବେଙ୍ଗାଲୁରୁ ପଠାଯାଉଛି ଯେଉଁଠି ସେ ଏନସିଏକୁ ରିପୋର୍ଟ କରିବେ। ଡାକ୍ତରୀ ଦଳ ତାଙ୍କ ଗୋଡର ସ୍କାନ୍ ରିପୋର୍ଟ ଦେଖିବେ । ଗୋଟିଏ ଇଞ୍ଜେକ୍ସନରେ ସବୁ ଠିକ୍ ହୋଇଯିବ ବୋଲି ଆଶା କରାଯାଉଛି | ବିସିସିଆଇ ମଧ୍ୟ ଇଂଲଣ୍ଡ ଡାକ୍ତରଙ୍କ ସହ ଯୋଗାଯୋଗ କରିଛି । ସେ ମଧ୍ୟ ଏହି କଥା କହିଛନ୍ତି । ହାର୍ଦ୍ଦିକ ପରବର୍ତ୍ତୀ ମ୍ୟାଚ୍ ଖେଳିବ ନାହିଁ।

ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି, ହାର୍ଦ୍ଦିକ ପାଣ୍ଡ୍ୟା ଧର୍ମଶାଳା ଯିବେ ନାହିଁ । ସେ ଲକ୍ଷ୍ନୌରେ ଦଳ ସହ ଯୋଗଦେବେ। ହାର୍ଦ୍ଦିକଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ସେ ଡାକ୍ତରୀ ଦଳର ତତ୍ତ୍ଵାବଧାନରେ ରହିବେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପରେ ଭାରତ ଲକ୍ଷ୍ନୌରେ ଇଂଲଣ୍ଡକୁ ଭେଟିବ।

ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦିକଙ୍କ ଆଘାତ ସେତେ ଗମ୍ଭୀର ନୁହେଁ ବୋଲି ଅଧିନାୟକ ରୋହିତ କହିଥିଲେ ।

ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ପ୍ରଥମ ଓଭର ବୋଲିଂ କରିବା ସମୟରେ ଗୋଡ଼ ମୋଡ଼ି ହୋଇଯିବାରୁ ପଡ଼ିଆ ଛାଡ଼ି ପଳାଇଥିଲେ । ସେ ଆଉ ଫେରିନଥିଲେ ।

ନବମ ଓଭରର ତୃତୀୟ ବଲରେ ଏହି ଘଟଣା ଘଟିଥିଲା । ବାଂଲାଦେଶ ଓପନର୍ ଲିଟନ୍ ଦାସଙ୍କ ଷ୍ଟ୍ରେଟ୍ ଡ୍ରାଇଭକୁ ଅଟକାଇବାକୁ ଚେଷ୍ଟା କଲାବେଳେ ପାଣ୍ଡ୍ୟାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା । ପାଣ୍ଡ୍ୟା ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା । ପାଣ୍ଡ୍ୟାଙ୍କ ସ୍ଥାନରେ ଫିଲ୍ଡିଂ କରିବାକୁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ।

ପାଣ୍ଡ୍ୟାଙ୍କ ଅସମ୍ପୂର୍ଣ୍ଣ ଓଭରକୁ ବିରାଟ କୋହଲି ଶେଷ କରିଥିଲେ, ଯାହାର ମଜା ନେଇଥିଲେ ଦର୍ଶକ।

Exit mobile version