Site icon ଆଜିକାଲି

ପ୍ୟାଟ୍ କମିନ୍ସ ହେଲେ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି, ୨୦.୫ କୋଟିରେ କିଣିଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲ୍ ୨୦୨୪ ସିଜନ୍ ପାଇଁ ମଙ୍ଗଳବାର ଦୁବାଇରେ ଆରମ୍ଭ ହୋଇଥିବା ମିନି ନିଲାମରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ । ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି କମିନ୍ସ | ପ୍ୟାଟ୍ କମିନ୍ସଙ୍କୁ ୨୦.୫ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । କମିନ୍ସ ତାଙ୍କ ବେସ୍ ପ୍ରାଇସ୍ (୨ କୋଟି) ଠାରୁ ୧୦ ଗୁଣ ଅଧିକ ମୂଲ୍ୟ ପାଇଛନ୍ତି।

ଆଇପିଏଲ୍ ୨୦୨୪ ନିଲାମର ଦ୍ୱିତୀୟ ରାଉଣ୍ଡରେ କମିନ୍ସଙ୍କ ନାମ ଆସିଥିଲା | ବେସ୍ ପ୍ରାଇସ୍ ୨ କୋଟି ସହ କମିନ୍ସଙ୍କ ନାମ ଘୋଷଣା ହେବା କ୍ଷଣି ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ତାଙ୍କ ପାଇଁ ବିଡିଂ କରିବା ଆରମ୍ଭ କରିଥିଲେ। ହେଲେ ପରେ କମିନ୍ସଙ୍କ ପାଇଁ ହାଇଦ୍ରାବାଦ ଓ ଆରସିବି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା | ଶେଷରେ ସନରାଇଜର୍ସ ହାଇଦ୍ରାବାଦ ଏହି ଅଷ୍ଟ୍ରେଲୀୟ ପେସରଙ୍କୁ ରେକର୍ଡ ୨୦ କୋଟି ୫୦ ଲକ୍ଷରେ କିଣିବାରେ ସଫଳ ହୋଇଥିଲା |

ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବରେ ପ୍ୟାଟ୍ କମିନ୍ସ ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୨୩ରେ କରନଙ୍କୁ ପଞ୍ଜାବ କିଙ୍ଗ୍ସ ୧୭.୫୦ କୋଟିରେ କିଣିଥିଲେ।

କମିନ୍ସଙ୍କ ପରେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ଡାରିଲ ମିଚେଲ୍ ଦ୍ବିତୀୟ ମହଙ୍ଗା ଖେଳାଳି ଭାବେ ଉଭା ହୋଇଛନ୍ତି । ମିଚେଲଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୪ କୋଟିରେ କିଣିଛନ୍ତି ।

ପ୍ୟାଟ୍ କମିନ୍ସ ୨୦୧୪ରେ ଆଇପିଏଲ୍ ଡେବ୍ୟୁ କରିଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଏପର୍ଯ୍ୟନ୍ତ ଆଇପିଏଲରେ ୪୨ଟି ମ୍ୟାଚ୍ ଖେଳିଛନ୍ତି ଓ ୪୫ଟି ୱିକେଟ୍ ନେଇଛନ୍ତି। କମିନ୍ସ ଗତ ବର୍ଷ ଆଇପିଏଲରୁ ଓହରି ଯାଇଥିଲେ। ସେ ୨୦୨୨ ସିଜନରେ ୫ଟି ମ୍ୟାଚରେ ୭ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ କମିନ୍ସ ୫୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୫୫ଟି ୱିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୧୫ ରନ୍ ବିନିମୟରେ ୩ଟି ୱିକେଟ୍।

Exit mobile version