Site icon ଆଜିକାଲି

ନୂଆ ଆଇନ ଅନୁଯାୟୀ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୋମମବାର ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ସରକାରଙ୍କ ଦ୍ୱାରା ସିଇସି ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି ।

ସମ୍ପ୍ରତି ନିର୍ବାଚନ କମିଶନରେ ଦୁଇଟି ନିର୍ବାଚନ କମିଶନର (ଇସି) ପଦବୀ ଖାଲି ପଡ଼ିଛି। ଏହି ପଦ ପୂରଣ କରିବା ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲର ବୈଠକ ହୋଇପାରେ ।

ସମ୍ପ୍ରତି ନିର୍ବାଚନ କମିଶନରେ କେବଳ ସିଇସି ରାଜୀବ କୁମାର ରହିଛନ୍ତି। ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଫେବୃଆରୀ ୧୪ରେ ଅବସର ନେଇଥିଲେ। ଦ୍ୱିତୀୟ ନିର୍ବାଚନ କମିଶନର ଅରୁଣ ଗୋଏଲ ଅଚାନକ ମାର୍ଚ୍ଚ ୮ରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ସିଇସି ଓ ଇସି ନିଯୁକ୍ତି ପାଇଁ ସରକାର ନୂଆ ଆଇନ ଆଣିଛନ୍ତି । ଏହି ଆଇନ ଅନୁଯାୟୀ ସିଇସି ଓ ଇସିଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏଣିକି ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଲୋକସଭାରେ ବିରୋଧୀ ଦଳର ନେତା ରହିବେ ।

Exit mobile version