Site icon ଆଜିକାଲି

ପିୟୁସି ନ ଥିଲେ ପେଟ୍ରୋଲ ଦିଆଯିବା ଅନୁଚିତ; ସୁପ୍ରିକୋର୍ଟରେ ଯୁକ୍ତି ବାଢ଼ିଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ: ଭାରତରେ ଗଡୁଥିବା ଯାନବାହନ ମଧ୍ୟରୁ ୫୫ ପ୍ରତିଶତ ଗାଡ଼ିର ବୀମା ନାହିଁ। ସରକାରଙ୍କ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଥିବା ସୁପ୍ରିମକୋର୍ଟରେ କୁହାଯାଇଛି। ପିୟୁସି (ବାହନ ପ୍ରଦୂଷଣ ନିୟନ୍ତ୍ରଣ) ପ୍ରମାଣପତ୍ର ନ ଥିବାରୁ ଅଧିକାଂଶ ଯାନର ବୀମା ହୋଇପାରି ନାହିଁ ବୋଲି ତଥ୍ୟରେ ଦର୍ଶାଯାଇଛି। ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେବା ସହିତ ସମସ୍ତ ଯାନବାହନର ପିୟୁସି ସହିତ ଥାର୍ଡ ପାର୍ଟି ବୀମା ରହିବା ଉପରେ ଗୁରୁତ୍ଵ ଦେଇଛନ୍ତି। ତେବେ​‌ ଯେଉଁ ଯାନର ପିୟୁସି ନାହିଁ ତାହାକୁ ପେଟ୍ରୋଲ ଦିଆଯିବା ଅନୁଚିତ ବୋଲି ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ।

୨୦୧୭ ଅଗଷ୍ଟ ୧୦ରେ ସୁପ୍ରିମକୋର୍ଟ ଦେଇଥିବା ଏକ ଆଦେଶର ସଂଶୋଧନ କରିବା ଲାଗି ଜେନେରାଲ ଇନସ୍ୟୁରାନ୍ସ କାଉନ୍‌ସିଲ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଏ.ଏସ. ଓକା ଏବଂ ଉଜ୍ଜ୍ଵଳ ଭୁଇୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ। ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ଯେପର୍ଯ୍ୟନ୍ତ ଯାନର ବୈଧ ପିୟୁସି ନାହିଁ ସେ ପର୍ଯ୍ୟନ୍ତ ତାହାର ବୀମା ହୋଇପାରିବ ନାହିଁ।

Exit mobile version