Site icon ଆଜିକାଲି

ଆଜି ୯୪ ତମ ମନ୍ କି ବାତ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜି (ରବିବାର) ୯୪ ତମ ସଂସ୍କରଣ । ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଏଥିରେ ଚଣ୍ଡିଗଡ ବିମାନ ବନ୍ଦରକୁ ସହିଦ ଭଗତ ସିଂଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ । ଏହା ସହ ପରିବେଶ ସୁରକ୍ଷା ପ୍ରତି ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାର ଉପାଦେୟତା ଓ ଦେଶରେ ଏହାର କ୍ରମବିକାଶଃ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୨୦୧୫ ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସରକାର । ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ଅଧ୍ୟୟନ କରି ଯୋଗାଯୋଗ ଓ ଦୈନଦିନ ଜୀବନଶୈଳୀରେ ଆତ୍ମନିର୍ଭର ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Exit mobile version