Site icon ଆଜିକାଲି

ରାଜସ୍ଥାନରେ ରାଜନୈତିକ ସଙ୍କଟ: ପାଇଲଟଙ୍କୁ ବିରୋଧ କରି ଅଶୋକ ଗେହଲୋଟ୍‌ ଗୋଷ୍ଠୀର ୯୨ ବିଧାୟକଙ୍କ ଇସ୍ତଫା


ଜୟପୁର: ନୂଆ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ରାଜସ୍ଥାନ କଂଗ୍ରେସରେ ରବିବାର ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରି ଅଶୋକ ଗେହଲୋଟ୍‌ ଗୋଷ୍ଠୀର ୯୨ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସମୂହ ଇସ୍ତଫା ଦେଇଛନ୍ତି। ସେମାନେ ବିଧାନସଭା ବାଚସ୍ପତି ପିସି ଯୋଶୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି । ଗେହଲୋଟ୍ ଗୋଷ୍ଠୀ ବିଧାୟକ ପୁଣି ଆଜି ବାଚସ୍ପତି ଯୋଶୀଙ୍କୁ ଭେଟି ସେମାନଙ୍କ ଇସ୍ତଫା ମଞ୍ଜୁର କରିବାକୁ ଅନୁରୋଧ କରିବେ । ଅଶୋକ ଗେହଲୋଟ୍‌ ମୁଖ୍ୟମନ୍ତ୍ରୀ ପଦରେ ଥାଇ କଂଗ୍ରେସ ଅଧ୍ଯକ୍ଷ ହୁଅନ୍ତୁ ବୋଲି ଜତାଙ୍କ ସମର୍ଥକମାନେ ଦାବି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲୋଟ୍ ନାମାଙ୍କନ ପତ୍ର ଦାଖଲ ନ କରିବା ପର୍ଯ୍ୟନ୍ତ ବିଧାୟକ ଦଳ ବୈଠକକୁ ବର୍ଜନ କରାଯିବ ବୋଲି ସେମାନେ ଧମକ ମଧ୍ୟ ଦେଇଛନ୍ତି ।

୯୨ ବିଧାୟକଙ୍କ ଇସ୍ତଫା ପରେ ୨୦୦ ଆସନ ବିଶିଷ୍ଟ ରାଜ୍ୟ ବିଧାନଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୮କୁ ଖସିଆସିଛି। ଏଥିସହ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ମଧ୍ଯ ୫୫କୁ ହ୍ରାସ ପାଇଛି। ଗୃହରେ ଭାଜପା ବିଧାୟକଙ୍କ ସଂଖ୍ୟା ହେଉଛି ୭୦।

କଂଗ୍ରେସ ବିଧାୟକମାନେ ସରକାର ଭାଙ୍ଗିବାକୁ ଏପରି ଉଦ୍ୟମ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଜଣେ ଏମ୍‌ଏଲ୍‌ଏ କହିଛନ୍ତି, ଆମେ ଗେହଲୋଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖୁବାକୁ ଚାହୁଁ । କେନ୍ଦ୍ରୀୟ ନେତୃତ୍ବ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସର୍ତରେ ତାଙ୍କୁ ରିହାତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ଗୁରୁତ୍ବପୂର୍ଷ୍ଚ ଘଟଣାକ୍ରମ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି।

ଅକ୍ଟୋବାର ୧୭ରେ ହେବାକୁ ଥିବା କଂଗ୍ରେସ ଅଧ୍ଯକ୍ଷ ନିର୍ବାଚନୋ ମଇଦାନକୁ ଓହ୍ଲାଇବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ସମ୍ପୂର୍ଣ୍ଣ ପ୍ରସ୍ଥୁତ। ବିରୋଧୀ ଦଳର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ଦୌଡ଼ରେ ମଧ୍ଯ ସେ ଆଗୁଆ ଅଛନ୍ତି। କିନ୍ତୁ ଦଳର ମଙ୍ଗ ଧରିବା ପାଇଁ ନାମାଙ୍କନପତ୍ର ଦାଖଲ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଗେହଲଟ୍‌ ଚୌକି ଛାଡ଼ିବା ପରେ ତାଙ୍କ ସ୍ଥାନରେ ପ୍ରଦେଶ କଂଗ୍ରେସ କମିଟି ପିସିସିର ପୂର୍ବତନ ସଭାପତି ତଥା ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ନାମ ଘୋଷଣା ପୂର୍ବରୁ ରବିବାର ଉଭୟ ଜୟପୁର ଓ ଦିଲ୍ଲୀରେ ମାରାଥନ ବୈଠକ ବସିଥିଲା। ଅସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ନିଜ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସୁଦୃଢ଼ କରି ନୂଆ ଅଧ୍ଯକ୍ଷ ବାଛିବାକୁ ଯାଉଥିବା ବେଳେ ଦଳରେ ଗୋଷ୍ଠୀ କନ୍ଦଳ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Exit mobile version