Site icon ଆଜିକାଲି

ନୂଆ ଦଳ ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର, ଘୋଷଣା କଲେ ନାଁ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର ନିଜ ନୂଆ ରାଜନୈତିକ ଦଳ ‘ଜନ ସୂରାଜ ପାର୍ଟି’ର ଶୁଭାରମ୍ଭ କରିଛନ୍ତି। ବିହାରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ ନୂଆ ଦଳ ଲଢ଼ିବ ବୋଲି ଆଶା କରାଯାଉଛି। ଏ ନେଇ ବୁଧବାର ପାଟଣାସ୍ଥିତ ପ୍ରାଣୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜଣାଶୁଣା ବ୍ୟକ୍ତିତ୍ଵଙ୍କ ଉପସ୍ଥିତିରେ ପ୍ରଶାନ୍ତ ଦଳର ଶୁଭାରମ୍ଭ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରସାଦ ଯାଦବ, ରାଜନେତା ପବନ ବର୍ମା ଏବଂ ପୂର୍ବତନ ସାଂସଦ ମୋନାଜିର ହସନ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଶାନ୍ତ କହିଛନ୍ତି, ଗତ ୨/୩ ବର୍ଷ ହେବ ଦଳର ପ୍ରଚାର ଅଭିଯାନ ଚାଲିଆସୁଛି। ଲୋକମାନେ ପଚାରି ଆସୁଥିଲେ ଦଳ କେବେଠାରୁ ସକ୍ରିୟ ହେବ। ଆଜି ସେ ଦିନ ଆସିଛି। ଆନୁଷ୍ଠାନିକ ଭାବେ ନିର୍ବାଚନ ଆୟୋଗ ଦଳକୁ ଅନୁମୋଦନ ଦେଇଛନ୍ତି। ବିଜେପି ସହିତ ତାଙ୍କ ଦଳର ସଂପର୍କ ରହିଛି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୁରାଜ ପାର୍ଟି ହେଉଛି ଆରଏସଏସ ଓ ସଂଖ୍ୟାଲଘୁଙ୍କ ମିଶ୍ରଣ।

ପାର୍ଟିର ନାଁ ଘୋଷଣା ଅବସରରେ ଏକ ବଡ଼ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ବିହାରର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଜରୁରୀ। ଆଗାମୀ ଏକ ଦଶନ୍ଧିରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ ୫ ଲକ୍ଷ କୋଟି ଟଙ୍କା ଆବଶ୍ୟକ। ସେହିପରି ମଦ ବ୍ୟାନ ହୋଇଥିବାରୁ ବାର୍ଷିକ ରାଜ୍ୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ସେହି ଅର୍ଥ ଆସିଥିଲେ ତାକୁ ଶିକ୍ଷା ସଂସ୍କାରରେ ବିନିଯୋଗ କରାଯାଇପାରିଥା’ନ୍ତା। ଯେତେବେଳେ ମଦ ଉପରୁ କଟକଣା ହଟିଯିବ, ସେଥିରୁ ଯେଉଁ ଅର୍ଥ ଆସିବ, ତାକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଅବା ନେତାଙ୍କ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ନାହିଁ। ଏହାକୁ କେବଳ ବିହାରରେ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଗଠନରେ ବ୍ୟବହାର କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ନିର୍ବାଚନ କମିଶନଙ୍କ ଅନୁମତି ମିଳିଥିବାରୁ ‘ଜନ ସୁରାଜ ପାର୍ଟି’ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି। ତେବେ ତା’ ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ବିହାରରେ ହେବାକୁ ଥିବା ଉପ-ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ ଜନ ସୁରାଜ ପାର୍ଟି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କ ଦଳ ନଭେମ୍ବରରେ ହେବାକୁ ଥିବା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ। ଯଦି ତାଙ୍କ ଦଳ ଉପ-ନିର୍ବାଚନରେ ବିଜୟୀ ହୁଏ, ତା’ହେଲେ ବିହାରରେ ଅନେକ ରାଜନୀତିକ ଦଳ ନଷ୍ଟ ହୋଇଯିବେ।

Exit mobile version