Site icon ଆଜିକାଲି

ଦିଗପହଣ୍ଡି ବସ୍ ଦୁର୍ଘଟଣା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଶୋକବାର୍ତ୍ତାରେ ମହାମହିମ କହିଛନ୍ତି, ଗଞ୍ଜାମରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନହାନି ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ‌।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ରାତିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହେଇଥିଲା। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version