Site icon ଆଜିକାଲି

ସୁଖୋଇ ଯୁଦ୍ଧ ବିମାନରେ ଉଡ଼ାଣ କଲେ ରାଷ୍ଟ୍ରପତି

ତେଜପୁର: ଆସାମର ତେଜପୁର ବାୟୁସେନା ଷ୍ଟେସନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି । ଏହାପୂର୍ବରୁ ତାଙ୍କୁ ତେଜପୁର ବାୟୁସେନା ଷ୍ଟେସନରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଏହି ସୁଖୋଇ ବିମାନକୁ ୧୦୬ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପଟେନ୍ ନବୀନ କୁମାର ଉଡ଼ାଉଥିଲେ । ରାଷ୍ଟ୍ରପତି ବାୟୁସେନା ପୋଷାକ ପିନ୍ଧି ପ୍ରାୟ ୩୦ ମିନିଟ୍ ଏହି ଲଢ଼ୁଆ ବିମାନରେ ଉଡିଥିଲେ । ଯୁଦ୍ଧ ବିମାନରେ ଉଡ଼ାଣ କରିବାରେ ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ସୁଖୋଇ ଯୁଦ୍ଧ ବିମାନ ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍)ର ପରିଚାଳନାଗତ ଦକ୍ଷତା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ଭାରତୀୟ ବାୟୁସେନାର ପରିଚାଳନାଗତ ପ୍ରସ୍ତୁତିକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସୁପ୍ରିମ୍ କମାଣ୍ଡର ।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ିଛନ୍ତି।

ସରକାରୀ ମୁଖପାତ୍ରଙ୍କ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୬ ରୁ ୮ ପର୍ଯ୍ୟନ୍ତ ଆସାମ ଗସ୍ତରେ ଅଛନ୍ତି। ଆଜି ରାଷ୍ଟ୍ରପତି ମୁର୍ମୁଙ୍କ ଆସାମ ଗସ୍ତର ଶେଷ ଦିନ | ସେ ଗତକାଲି (ଏପ୍ରିଲ ୭ରେ) କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଜା ଉତ୍ସବ-୨୦୨୩ ର ଉଦଘାଟନ କରିଥିଲେ । ପରେ ଗୁଆହାଟୀରେ ମାଉଣ୍ଟ କାଞ୍ଚନଜଙ୍ଗା ଅଭିଯାନ-୨୦୨୩କୁ ଉଦଘାଟନ କରିଥିଲେ। ଏଥିସହ ରାଷ୍ଟ୍ରପତି ମୁର୍ମୁ ଗୁଆହାଟୀ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |

Exit mobile version