Site icon ଆଜିକାଲି

ମହାମହିମଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ରାଷ୍ଟ୍ରପତି ଓଡ଼ିଶା ପହଞ୍ଚିବାଠାରୁ ଆରମ୍ଭ କରି ଗସ୍ତ କାର୍ଯ୍ୟକ୍ରମ ସାରି ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମହାମହିମଙ୍କ ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ସମନ୍ବୟ ଅଧିକାରୀଙ୍କ ଦାୟିତ୍ବ, କାରକେଡ ବ୍ୟବସ୍ଥା , ଦର୍ଶକଙ୍କ ବସିବା ସ୍ଥଳ ଏବଂ କାର୍ଯ୍ୟକ୍ରମ ସ୍ଥଳକୁ ନିରବିଛିନ୍ନ ଇଣ୍ଟରନେଟ୍ ଓ ୱାଇ-ଫାଇ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା।

ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଦ୍ବିତୀୟ ପର୍ଯ୍ୟାୟରେ ୨୬ ତାରିଖ ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚି ୨୭ ତାରିଖରେ ପାରାଦୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଏହି ୫ ଦିନର ଗସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ବୈଠକରେ ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Exit mobile version