Site icon ଆଜିକାଲି

ଜାନୁଆରୀ ୨୨ରେ ରାମମନ୍ଦିର ପ୍ରତିଷ୍ଠା, ଅଯୋଧ୍ୟା ନ ଆସିବାକୁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଗସ୍ତରେ ଯାଇ ସହରର ରେଳ ଷ୍ଟେସନ ଏବଂ ବିମାନବନ୍ଦର ଉଦଘାଟନ କରିଛନ୍ତିି । ଏଥିସହ ମୋଦୀ ଅଯୋଧ୍ୟାରେ ୧୫ ହଜାର କୋଟିର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତିି ମୋଦୀ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ନଗରୀ। ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏବେଠୁ ହିଁ ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଜିଲ୍ଲାର ସମସ୍ତ ହୋଟେଲ ଏବଂ ଗେଷ୍ଟ ହାଉସ୍ ଭର୍ତ୍ତି ହୋଇସାରିଛି | ଟ୍ରେନ୍ ଓ ବସ୍ ଟିକେଟ୍ ମଧ୍ୟ ବୁକ୍ ହୋଇସାରିଛି। ଭିଡ଼କୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକଙ୍କୁ ଏକ ଅନୁରୋଧ କରିଛନ୍ତି।

ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅପିଲ କରିଛନ୍ତିି। ମୋଦୀ କହିଥିଲେ ଜାନୁଆରୀ ୨୨ରେ ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ସମସ୍ତେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି । କିନ୍ତୁ ଆପଣ ଏହା ମଧ୍ୟ ଜାଣନ୍ତି ଯେ ସମସ୍ତେ ଏଠାକୁ ଆସିବା ସମ୍ଭବ ନୁହେଁ | ତେଣୁ ମୁଁ ସାରା ଦେଶର ଓ ଉତ୍ତର ପ୍ରଦେଶର ରାମ ଭକ୍ତମାନଙ୍କୁ ହାତଯୋଡି ନିବେଦନ କରୁଛି ଯେ ସେମାନେ ଜାନୁଆରୀ ୨୨ର କାର୍ଯ୍ୟକ୍ରମ ସରିବା ପରେ ନିଜ ସୁବିଧା ଅନୁସାରେ ଜାନୁଆରୀ ୨୩ ପରଠୁ ଅଯୋଧ୍ୟା ଆସିପାରିବେ । ଆମେ ପ୍ରଭୁ ଶ୍ରୀରାମଙ୍କୁ ଅସୁବିଧା ହେଉ ବୋଲି କଦାପି ଚାହିଁବାନି । ପ୍ରଭୁ ରାମ ଆସୁଛନ୍ତି । ଏଥିପାଇଁ ଆମେ ୫୫୦ ବର୍ଷ ଅପେକ୍ଷା କଲେ । ଆଉ କିଛି ଦିନ ଅପେକ୍ଷା କରିବା। ଜାନୁଆରୀ ୨୨ରେ ଅଯୋଧ୍ୟା ଆସିବା ପରିବର୍ତ୍ତେ ନିଜ ଘରେ ଦୀପ ଜାଳି ‘ଦୀପାବଳି’ ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ।

Exit mobile version