Site icon ଆଜିକାଲି

ଉଜବେକିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଉଜବେକିସ୍ତାନରେ ଆୟୋଜିତ ହେବାକୁ ଥିବା ୨୨ ତମ ଏସ୍‌ସିଓ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଉଜବେକିସ୍ତାନ ରାଜଧାନୀ ସମରକନ୍ଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଶିଖର ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ପାରସ୍ପାରିକ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବାର ଏକ ଅବସର ମିଳିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀ ବର୍ତ୍ତମାନ ବିଶ୍ବର ଏକ ପ୍ରମୁଖ ସମ୍ମିଳନୀ ଭାବେ ସ୍ଥାନ ପାଇଛି । ଏହି ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ଜିଡିପି (ଜିଡିପି) ବିଶ୍ବ ଜିଡିପିର ପ୍ରାୟ ୩୦ ପ୍ରତିଶତ ଓ ବିଶ୍ବ ଲୋକସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ମଧ୍ୟ ।

ଚଳିତବର୍ଷ ଏହି ଶିଖର ସମ୍ମିଳନୀର ଆୟୋଜନ ଭାର ଉଜବେକିସ୍ତାନ ଗ୍ରହଣ କରିଥିବା ବେଳେ ରାଜଧାନୀ ସମରକନ୍ଦରେ ଏହି ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେଉଛି । ୨୦୧୯ ରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମ ଥର ଏହି ସମ୍ମଳନୀ ଭର୍ଚ୍ଚୁଆଲ ମୋଡ ପରିବର୍ତ୍ତେ ପ୍ରତ୍ୟେକ୍ଷ ଭାବେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଦ୍ବିପାକ୍ଷିକ ପ୍ରସଙ୍ଗ ଓ ବିଭିନ୍ନ କ୍ଷେତ୍ରରେ ପାରସ୍ପାରିକ ସହଯୋଗ ନେଇ ଆଲୋଚନା ହେବ । ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ଏଥିରେ କିଛି ନିମନ୍ତ୍ରିତ ଅତିଥି ରାଷ୍ଟ୍ର ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।

ଏହି ସମ୍ମିଳନୀରେ ମୋଟ ୮ ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ପାକିସ୍ତାନ, ଉଜବେକିସ୍ତାନ, କାର୍ଗିଜସ୍ଥାନ, ଖାଜାକସ୍ତାନ, ଉଜବେକିସ୍ତାନ, ଚୀନ ଓ ଋଷ ରହିଛନ୍ତି । ବିଭିନ୍ନ ଦେଶର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ସହଯୋଗ ନେଇ ଆଲୋଚନା ହେବ । ସୀମାପାର ଆତଙ୍କବାଦ ନିରୋଧ, ବାଣିଜ୍ୟିକ, ସୁରକ୍ଷା ଆଦି ପ୍ରସଙ୍ଗରେ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିବେ । ଚଳିତ ସମ୍ମିଳନୀରେ ଭାରତ ସମତେ ପାକିସ୍ତାନ, ଚୀନ, ଋଷ ଆଦି ଦେଶର ମୁଖ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବେ । ୨୦୦୧ ରେ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ ଚଳିତ ବର୍ଷ ୨୨ତମ ସଂସ୍କରଣରେ ପହଞ୍ଚିଛି । ତେବେ ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ସହ ଏକକ ଆଲୋଚନା କରିବା ନେଇ ଅନୁମାନ କରାଯାଉଥିବା ବେଳେ ଏପରି କିଛି ଏକକ ସାକ୍ଷାତକାର କାର୍ଯ୍ୟସୂଚୀ ନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Exit mobile version