Site icon ଆଜିକାଲି

ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଶାନ୍ତି କଥାବାର୍ତ୍ତା ଲାଗି ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଃସର୍ତ୍ତ ଶାନ୍ତି କଥାବାର୍ତ୍ତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ । କାଶ୍ମୀର ସହିତ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ମୋଦୀଙ୍କ ସହିତ ଆଲୋଚନା ନିମନ୍ତେ ସେ ଆଗ୍ରହୀ ଥିବା ସରିଫ କହିଛନ୍ତି। ଦୁବାଇସ୍ଥିତ ନ୍ୟୁଜ୍‌ ଚାନେଲ ‘ଅଲ ଆରବୀୟ ଟିଭି’କୁ ସାକ୍ଷାତକାର ବେଳେ ସରିଫ ଏହି ପ୍ରସ୍ତାବ ଦେଇଛନ୍ତି। ସରିଫ କହିଛନ୍ତି ଯେ ଭାରତ ସହିତ ତିନିଥର ଯୁଦ୍ଧ କରି ପାକିସ୍ତାନ ଅନେକ ଶିକ୍ଷା ପାଇଛି। ଯୁଦ୍ଧରୁ ଆମେ ଦୁଃଖ, ଦାରିଦ୍ର୍ୟ, ବେରୋଜଗାର ବୋଲି ସମସ୍ୟା ପାଇଛୁ। ତେଣୁ ଆମେ ଏବେ ଆଉ ଯୁଦ୍ଧ ଚାହୁଁ ଚାହୁଁ; ଶାନ୍ତି ଚାହୁଁ । ତେଣୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ପ୍ରଗତି ଆମେ ନିଷ୍କପଟତାର ସହ କଥାବାର୍ତ୍ତା କରିବା ଦରକାର । ଆମେ ଏକାଠି ବସି କାଶ୍ମୀର ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କରିବା। ଏହାଦ୍ବାରା ଦୁଇଦେଶ ଶାନ୍ତି ଓ ପ୍ରଗତୀ ଆସିପାରିବ। ଆମେ ଚିନ୍ତା କରିବା ଦରକାର ଯେ ଆମେ ପରସ୍ପର ମଧ୍ୟରେ କହଳରେ ମାତି ନିଜର ସମୟ ଓ ଧନ ଜୀବନ ନଷ୍ଟ କରିବା ନା ଶାନ୍ତି ଓ ବିକାଶରେ ଆଗେଇଯିବା। ସରିଫ କହିଛନ୍ତି ଭାରତ ସହିତ ଶାନ୍ତି କଥାବାର୍ତ୍ତାରେ ଆବଶ୍ୟକ ମଧ୍ୟସ୍ଥ କରିବାକୁ ସେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦଙ୍କୁ ନିବେଦନ କରିଛନ୍ତି। କାରଣ ଜାୟେଦ ପାକିସ୍ତାନ ଭାଇ ହୋଇଥିବାବେଳେ ଭାରତ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଛି। ତେଣୁ ଜାୟେଦ ଦୁଇ ଦେଶକୁ ଆଲୋଚନା ସ୍ତରକୁ ଆଣିବାରେ ସଫଳ ହେବେ।

ଗୋଟିଏ ପଟେ ସରିଫ ଭାରତ ସହିତ ନିଃସର୍ତ୍ତ ଶାନ୍ତି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଅନ୍ୟପଟେ ତାଙ୍କ କାର୍ଯ୍ୟାଳୟ (ପିଏମଓ) ଏଥିପାଇଁ ସର୍ତ୍ତ ଧାର୍ଯ୍ୟ କରିଛି। ପାକିସ୍ତାନ ପିଏମଓ କହିଛି ଯେ ଜାମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ୩୭୦ ଧାରାକୁ ଭାରତ ସରକାର ପୁନଃ କାର୍ଯ୍ୟକାରୀ କରାଇଲେ ଶାନ୍ତି କଥାବାର୍ତ୍ତା କରାଯିବ। ଜାମ୍ମୁ-କାଶ୍ମୀରରେ ୩୭୦ ଧାରା କାର୍ଯ୍ୟକାରୀ ଦ୍ବାରା ଏହା ସ୍ବତନ୍ତ୍ର ରାଜ୍ୟ ଭାବେ ପରିଗଣିତ ହୋଇ ଆସୁଥିଲା। ୨୦୧୯ ଅଗଷ୍ଟ ୫ରେ ଭାରତ ସରକାର କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହିତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ଦେଶରେ ହାହାକାର ଖେଳିଯାଇଛି। ଦେଶରେ ଖାଦ୍ୟ ଅଭାବରୁ ଲୋକେ ହାହାକାର ମଧ୍ୟରେ କାଳାତିପାତ କରୁଛନ୍ତି। ଅଟା ପ୍ୟାକେଟଟିଏ କିଣିବାକୁ ଲୋକଙ୍କୁ ରକ୍ତାକ୍ତ ସଂଘର୍ଷ କରିବାକୁ ପଡୁଛି। ସେହିପରି ପାକିସ୍ତାନରେ ଆଉ ଏକ ବଡ ସମସ୍ୟା ହେଉଛି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି। ତେହରିକ ଇ ତାଲିବାନ ପାକିସ୍ତାନ (ଟିଟିପି) ଭଳି ଆତଙ୍କବାଦୀ ସଂଗଠନ ଏବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଡାକରା ଦେଇଛି। ଏହି ସଂଗଠନ ନିୟମିତ ଭାବେ ପାକିସ୍ତାନରେ ହିଂସା ଘଟାଇ ଚାଲିଛି। ଟିଟିପିର ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ପ୍ରାଣ ହରାଇଲେଣି।

Exit mobile version