Site icon ଆଜିକାଲି

୧୭ ତମ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଜାକାର୍ତ୍ତା : ଇଣ୍ଡୋନେସିଆର ବାଲିରେ ୧୭ ତମ ଜି-୨୦ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ସମୟ ୭ଟାରୁ ଆରମ୍ଭ ହୋଇଛି ସମ୍ମିଳନୀ । ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ୪୫ ଘଣ୍ଟାର ରହଣୀ କାଳରେ ୨୦ରୁ ଅଧିକ କାର୍ଯ୍ୟକ୍ରମ ରହିଛି ସେସନ । ୧୦ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ”ବିଶ୍ବର ଅଭିବୃଦ୍ଧି ପାଇଁ ଭାରତର ଶକ୍ତି-ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଏହା ହେଉଛି ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଶକ୍ତି ଯୋଗାଣରେ କୌଣସି ପ୍ରତିବନ୍ଧକକୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ ଏବଂ ଶକ୍ତି ବଜାରରେ ସ୍ଥିରତା ନିଶ୍ଚିତ ହେବା ଉଚିତ୍ । ସ୍ବଚ୍ଛ ଶକ୍ତି ଏବଂ ପରିବେଶ ପାଇଁ ଭାରତ ପ୍ରତିବଦ୍ଧ ।”

ସେ ଆହୁରି କହିଛନ୍ତି, ”୨୦୩୦ ସୁଦ୍ଧା, ଆମର ଅଧା ବିଦ୍ୟୁତ୍ ଅକ୍ଷୟ ଉତ୍ସରୁ ଉତ୍ପନ୍ନ ହେବ । ଅନ୍ତର୍ଭୂକ୍ତ ଶକ୍ତି ପରିବର୍ତ୍ତନ ପାଇଁ ବିକାଶଶୀଳ ଦେଶମାନଙ୍କୁ ସମୟ ସୀମା ଏବଂ ସୁଲଭ ଅର୍ଥ ଏବଂ ନିରନ୍ତର ଟେକ୍ନୋଲୋଜି ଯୋଗାଣ ଜରୁରୀ ।” ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ”ଆଜିର ସାର ଅଭାବ ହେଉଛି ଆସନ୍ତାକାଲିର ଖାଦ୍ୟ ସଙ୍କଟ । ଉଭୟ ଖତ ଏବଂ ଖାଦ୍ୟ ଶସ୍ୟର ଯୋଗାଣ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଆମେ ଏକ ପାରସ୍ପରିକ ଚୁକ୍ତି ଗଠନ କରିବା ଉଚିତ । ଭାରତରେ ନିରନ୍ତର ଖାଦ୍ୟ ନିରାପତ୍ତା ପାଇଁ, ଆମେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରୁଛୁ ଏବଂ ମାଣ୍ଡିଆ ପରି ପୁଷ୍ଟିକର ଏବଂ ପାରମ୍ପରିକ ଖାଦ୍ୟଶସ୍ୟକୁ ଲୋକପ୍ରିୟ କରୁଛୁ । ମାଣ୍ଡିଆ ପୁଷ୍ଟିହୀନତା ଏବଂ କ୍ଷୁଧା ସମସ୍ୟାର ସମାଧାନ କରିପାରିବ । ଆସନ୍ତାବର୍ଷ ଆମେ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିବା ଜରୁରୀ ।”

୧୭ ତମ ଜି-୨୦ ସମ୍ମଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ଅପୂର୍ବ କେମ୍ପିସକି ହୋଟଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନେ, ପ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟସୂଚୀରେ ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମ୍ପର୍କିତ ତିନିଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବ । ଏଥିସହ ବିଶ୍ୱ ଅର୍ଥନୀତି, ପରିବେଶ ସହ ୟୁକ୍ରେନ୍-ରୁଷ ଯୁଦ୍ଧ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଜି-ଟ୍ୱେଣ୍ଟି ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏଥିସହିତ ସେଠାକାର ଭାରତୀୟ ସମୁଦାୟଙ୍କୁ ଭେଟି ଉଦବୋଧନ ମଧ୍ୟ ଦେବେ ମୋଦି ।

୨୦୨୩ ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ । ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ‘ବସୁଧୈବ କୁଟୁମ୍ବୁକମ’ ପରିକଳ୍ପନାର ସ୍ଲୋଗାନ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସମେତ ଚୀନ-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ । ନିକଟରେ ନଭେମ୍ବର ୮ ତାରିଖରେ ଜି-୨୦ ସମ୍ମିଳନୀ ପାଇଁ ଲୋଗୋ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବିଷୟବସ୍ତୁ (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ । ସେହିପରି ଲୋଗୋରେ ହିନ୍ଦୀରେ ‘ବସୁଧୈବ କୁଟୁମ୍ବକମ୍’ ବୋଲି ମଧ୍ୟ ଲେଖାଯାଇଛି ।

Exit mobile version