Site icon ଆଜିକାଲି

ଜେଏମ୍ଏମ୍ ଲାଞ୍ଚ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ

ନୂଆଦିଲ୍ଲୀ: ସଂସଦ କିମ୍ବା ବିଧାନସଭାରେ ଭାଷଣ ଓ ଭୋଟ୍ ଦେବା ପାଇଁ ଲାଞ୍ଚ ନେଲେ ସାଂସଦ ଏବଂ ବିଧାୟକମାନଙ୍କୁ ଆଉ ଆଇନଗତ ସୁରକ୍ଷା ମିଳିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତିି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ରାଜନୀତିରେ ସ୍ୱଚ୍ଛତା ନିଶ୍ଚିତ କରିବ ଏବଂ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ଆହୁରି ବଢ଼ିବ ବୋଲି କହିଛନ୍ତି ମୋଦୀ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ଖଣ୍ଡପୀଠ ୧୯୯୮ର ରାୟକୁ ରଦ୍ଦ କରିଥିଲେ । ଜେଏମ୍ଏମ୍ ଲାଞ୍ଚ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ୧୯୯୮ ରାୟରେ କହିଥିଲେ ଯେ ଗୃହରେ ଭୋଟ୍ କିମ୍ବା ଭାଷଣ ଦେବା ପାଇଁ ଲାଞ୍ଚ ନେବା ମାମଲାରେ ସାଂସଦ ଓ ବିଧାୟକ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଇପାରିବ ନାହିଁ । ତେବେ ଏହି ରାୟ ସମ୍ବିଧାନର ଧାରା ୧୦୫ ଏବଂ ୧୯୪ର ପରିପନ୍ଥୀ ବୋଲି କହି ରଦ୍ଦ କରିଛନ୍ତିି କୋର୍ଟ । ଧାରା ୧୦୫ ଓ ୧୯୪ ଅଧୀନରେ ସଂସଦ ଏବଂ ବିଧାନସଭା ସଦସ୍ୟଙ୍କୁ କିଛି ବିଶେଷ କ୍ଷମତା ଏବଂ ଅଧିକାର ମିଳିଛି ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ରାୟ ଶୁଣାଇବା ବେଳେ କହିଥିଲେ ଯେ ଲାଞ୍ଚ ମାମଲାରେ ଏହି ଧାରା ଅଧୀନରେ ସାଂସଦ ଓ ବିଧାୟକମାନଙ୍କୁ ସୁରକ୍ଷା ମିଳିବ ନାହିଁ। କାରଣ ଲାଞ୍ଚ କାରବାର ଦ୍ବାରା ସର୍ବସାଧାରଣ ଜୀବନରେ ସଚ୍ଚୋଟତା କ୍ଷୟ ହୋଇଥାଏ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ରାୟ ସହ ଜଡିତ ଏକ ରିପୋର୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସ୍ବାଗତମ୍ ! ସମ୍ମାନନୀୟ ସୁପ୍ରିମକୋର୍ଟଙ୍କ ଏହି ବଡ଼ ରାୟ ସ୍ୱଚ୍ଛ ରାଜନୀତି ସୁନିଶ୍ଚିତ କରିବ ଏବଂ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବ।

Exit mobile version