Site icon ଆଜିକାଲି

ଆଜି ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ମିନିଟ୍ ରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ନଭେମ୍ବର ୧୮ ଓ ୧୯ରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀ ବିଭିନ୍ନ ଅଂଶଗ୍ରହଣକାରୀ ଦେଶ ଏବଂ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ । ବିଶେଷ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନର ଅର୍ନ୍ତଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ ।

ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ୍ ଏବଂ ୨୦୧୯ ନଭେମ୍ବରରେ ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀର ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ହୋଇଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବା ସମେତ ଆତଙ୍କବାଦୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ନେଇ ବୈଶ୍ୱିକ ସହଯୋଗ ଉପରେ ବିଚାରବିମର୍ଶ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ôଥକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସଙ୍କ ସମେତ ୪୫୦ ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ ।

ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ଜରିଆରେ ଆଲୋଚନା ହେବ । ସେଗୁଡିକ ମଧ୍ୟରେ ରହିଛି ‘ଆତଙ୍କବାଦ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପାଇଁ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ପଦ୍ଧତିର ଉପଯୋଗ, ନୂଆ ବୈଷୟିକ ଜ୍ଞାନ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ।

Exit mobile version