Site icon ଆଜିକାଲି

ଆଜି ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତରାଖଣ୍ଡ ଗସ୍ତ କରିବେ । ଶୁକ୍ରବାର ପୂର୍ବାହ୍ନ ୮.୩୦ରେ ସେ କେଦାରନାଥ ସ୍ଥିତ ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳ ପରିଦର୍ଶନ କରିବେ । ପୂର୍ବାହ୍ନ ୯.୨୫ରେ ପ୍ରଧାନମନ୍ତ୍ରୀ ମନ୍ଦାକିନୀ ଅଷ୍ଟପଥ ଓ ସରସ୍ୱତୀ ଅଷ୍ଟପଥର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

ଏଠାରୁ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯିବେ । ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ମଧ୍ୟାହ୍ନ ୧୨ଟା ବେଳେ ସେ ନଦୀତଟ ବିକାଶ କାର୍ଯ୍ୟର ପ୍ରଗତି ସମୀକ୍ଷା କରିବେ । ମଧ୍ୟାହ୍ନ ୧୨.୩୦ରେ ପ୍ରଧାନମନ୍ତ୍ରୀ ମାନା ଗାଁରେ ରାସ୍ତା ଓ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଦିନ ପ୍ରାୟ ୨ଟା ବେଳକୁ ଆଗମନ ପ୍ଲାଜା ଓ ହ୍ରଦଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

ଏହି ଗସ୍ତ ଅବସରରେ ପ୍ରାୟ ୧୦୦୦ କୋଟି ମୂଲ୍ୟର ସଡକ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ହେବ । ଦୁଇଟି ସଡକ ସମ୍ପ୍ରସାରଣ ପ୍ରକଳ୍ପ- ମାନାରୁ ମାନାପାସ (ଏନଏଚ ୦୭) ଓ ଯୋଶୀମଠରୁ ମଲାରି (ଏନଏଚ ୧୦୭ବି) ସୀମାନ୍ତ ଅଞ୍ଚଳକୁ ଅଲୱେଦର ସଡକ ସଂଯୋଗ ପାଇଁ ଆଉ ଏକ ପଦକ୍ଷେପ ପାଲଟିବ । ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ସହ ଏହି ପ୍ରକଳ୍ପଗୁଡିକ ରଣନୈତିକ ଦୃଷ୍ଟିରୁ ମଧ୍ୟ ବେଶ ଲାଭଦାୟକ ହେବେ ।

Exit mobile version