Site icon ଆଜିକାଲି

ନର୍ଥମ୍ପଟନସାୟାର ଟିମ୍‌କୁ ଝଟ୍‌କା, ଓ୍ୱାନ୍‌ ଡେ’ କପ୍‌ରୁ ବାଦ୍‌ ପଡ଼ିଲେ ପୃଥ୍ୱୀ ଶ’


ଲଣ୍ଡନ୍‌ : ନର୍ଥମ୍ପଟନସାୟାର ଟିମ୍‌କୁ ଝଟ୍‌କା । ଦଳ ପକ୍ଷରୁ କାଉଣ୍ଟି କ୍ରିକେଟ୍‌ ଖେଳୁଥିବା ଭାରତୀୟ ଓପନିଂ ବ୍ୟାଟର ପୃଥ୍ୱୀ ଶ’ ଆହତ ହୋଇଛନ୍ତି । ଫଳରେ ସେ ଚଳିତ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଆଉ ଖେଳିପାରିବେ ନାହିଁ ।

ଡରାହାମ ବିପକ୍ଷ ଗତ ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ପୃଥ୍ୱୀ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ଡାଇଭ ମାରିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଆଘାତ ଗୁରୁତର ନଥିବା ଅନୁମାନ କରାଯାଉଥିଲା । ପରେ ପୃଥ୍ୱୀ ବ୍ୟାଟିଂ କରି ଅପରାଜିତ ଶତକ ଅର୍ଜନ କରିଥିଲେ । ଉକ୍ତ ମ୍ୟାଚ୍‌କୁ ନର୍ଥମ୍ପଟନସାୟାର ୬ ୱିକେଟ୍‌ରେ ଜିତିଥିଲା ।

ପ୍ରଥମେ ବ୍ୟାଟିଂ କରି ଡରହାମ ୪୩.୨ ଓଭରରେ ୧୯୮ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଜବାବରେ ନର୍ଥମ୍ପଟନସାୟାର ୨୫.୪ ଓଭରରେ ୪ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ପୃଥ୍ୱୀ ୭୬ଟି ବଲ୍‌ରୁ ୧୫ଚୌକା ଓ ୭ଛକା ବଳରେ ୧୨୫ ରନ୍‌ ସଂଗ୍ରହ କରିଥିଲେ । ମ୍ୟାଚ୍‌ ପରେ ପୃଥ୍ୱୀଙ୍କ ଆଘାତ ଆଣ୍ଠୁର ଏମ୍‌ଆରଆଇ ସ୍କାନ କରାଯାଇଥିଲା । ଆଘାତ ଗୁରୁତର ଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ବିସିସିଆଇର ଡାକ୍ତରୀ ଦଳ ପୃଥ୍ୱୀଙ୍କ ଆହତ ସମସ୍ୟା ଉପରେ ବିଚାର ବିମର୍ଶ କରୁଛନ୍ତି । ଖୁବ୍‌ ଶୀଘ୍ର ଲଣ୍ଡନ୍‌ରେ ଡାକ୍ତରଙ୍କ ପରାମର୍ଶ ନିଆଯାଇ ପରବର୍ତ୍ତୀ ଚିକିତ୍ସା କରାଯିବ । ଆଘାତ ସ୍ଥାନର ଅସ୍ତ୍ରୋପଚାର କରାଯାଇପାରେ ।

Exit mobile version