Site icon ଆଜିକାଲି

ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଜଜଙ୍କ ପଦୋନ୍ନତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟର ୬୮ ଜଣ ବିଚାରପତିଙ୍କ ଜିଲ୍ଲା ଜଜ୍ କ୍ୟାଡରରେ ପଦୋନ୍ନତିକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ସମ୍ପୃକ୍ତ ପଦୋନ୍ନତି ତାଲିକା ଉପରେ ରୋକ୍ ଲଗାଇଛନ୍ତି । ଏହି ୬୮ ବିଚାରପତିଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଜଜ୍ ହରିଶ ହସମୁଖଭାଇ ବର୍ମା ମଧ୍ୟ ରହିଛନ୍ତି । ଯେଉଁ ଜଜଙ୍କ ପଦୋନ୍ନତି ହୋଇଛି ସେମାନଙ୍କୁ ନିଜ ମୂଳ ପୋଷ୍ଟିଂ (ପୁରୁଣା ପଦ)କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି ୬୮ ଜଜଙ୍କ ପ୍ରମୋସନ ପାଇଁ ଗୁଜରାଟ ହାଇକୋର୍ଟ କରିଥିବା ସୁପାରିସ ଓ ଏ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ। ଏହି ପଦୋନ୍ନତି ତାଲିକା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏବେ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କରିବ ‌‌।

୬୮ ଜଜଙ୍କ ପ୍ରମୋସନ ବିରୋଧରେ ଗୁଜରାଟ ସରକାରଙ୍କ ଦୁଇ ଅଧିକାରୀ ରବି କୁମାର ମେହେଟ୍ଟା ଏବଂ ସଚିନ ପ୍ରତାପ ରାୟ ମେହେଟ୍ଟା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଭୟ ବରିଷ୍ଠ ସିଭିଲ୍ ଜଜ୍ କ୍ୟାଡର ଅଧିକାରୀ ଏବଂ ସେମାନେ ପଦୋନ୍ନତି କୋଟା ପାଇଁ ପରୀକ୍ଷା ଦେଇଥିଲେ । ରବି କୁମାର ମେହେଟ୍ଟା ଗୁଜରାଟ ସରକାରଙ୍କ ଆଇନ ବିଭାଗର ଅଣ୍ଡର ସେକ୍ରେଟେରୀ ଥିବାବେଳେ ସଚିନ ପ୍ରତାପ ରାୟ ମେହେଟ୍ଟା ରାଜ୍ୟ ଆଇନ ସେବା ପ୍ରାଧିକରଣର ସହକାରୀ ନିର୍ଦ୍ଦେଶକ ଅଛନ୍ତି।

ଉଭୟ ଅଧିକାରୀ ଅଭିଯୋଗ କରିଥିଲେ ଯେ ପଦୋନ୍ନତି ପାଇଁ ପରୀକ୍ଷାରେ ସେମାନଙ୍କ ତୁଳନାରେ କମ୍ ମାର୍କ ରଖିଥିବା ବିଚାରପତିଙ୍କୁ ଜିଲ୍ଲା ଜଜ୍ କ୍ୟାଡରରେ ଚୟନ କରାଯାଇଛି।

Exit mobile version