Site icon ଆଜିକାଲି

ଏଆର୍ ରହମାନଙ୍କ ଲାଇଭ୍ ଶୋ’କୁ ବନ୍ଦ କଲା ପୁଣେ ପୋଲିସ, କାହିଁକି ପଢ଼ନ୍ତୁ 

ପୁଣେ: ଓସ୍କାର ବିଜେତା ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ସଂଗୀତର ଯାଦୁରେ ମତୁଆଲା ହେବାକୁ କିଏ ଅବା ନ ଚାହିଁବ । ରବିବାର ମହାରାଷ୍ଟ୍ରର ପୁଣେରେ ରହମାନଙ୍କ ଏକ ଲାଇଭ୍ ଶୋ’ ଅନୁଷ୍ଠିତ ହୋଇଥିଲା। ତେବେ ପୁଣେ ପୋଲିସ ହଠାତ୍ ତାଙ୍କ ଶୋ ବନ୍ଦ କରିଦେଇଥିବା ଜଣାପଡ଼ିଛି । ମଞ୍ଚ ଉପରକୁ ଚଢ଼ି ପୋଲିସ ରହମାନଙ୍କୁ ଗୀତ ଗାଇବାରୁ ରୋକିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର (ଏପ୍ରିଲ୍ ୩୦) ଏଆର୍ ରହମାନ ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ କରିଥିଲେ। ଏଆର୍ ରହମାନଙ୍କ ଏହି ଶୋ’ରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ | ରହମାନ ତାଙ୍କର ଯାଦୁକରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ । କିନ୍ତୁ ପରେ ପୁଣେ ପୋଲିସ ସେଠାରେ ପହଞ୍ଚି ରହମାନଙ୍କ ଶୋ’ ବନ୍ଦ କରିଦେଇଥିଲା । ଏହି ଶୋ’କୁ କେବଳ ରାତି ୧୦ଟା ଯାଏଁ ଅନୁମତି ମିଳିଥିଲା । ତେବେ ଶୋ’ ଧାର୍ଯ୍ୟ ସମୟସୀମା ଠାରୁ ଅଧିକ ସମୟ ଧରି ଚାଲିଥିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଏହି ଘଟଣା ନେଇ ପୁଣେ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଏଆର୍ ରହମାନ ତାଙ୍କର ଶେଷ ଗୀତ ଗାଉଥିଲେ । ତେବେ ସେ ଜାଣି ନଥିଲେ ଯେ ରାତି ୧୦ଟା ଉପରେ ହେଲାଣି | ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଦାୟିତ୍ବରେ ଥିବା ଆମ ପୋଲିସ୍ ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରହମାନଙ୍କୁ ସମୟସୀମା ସମ୍ପର୍କରେ ଜଣାଇଥିଲେ । ଏହା ପରେ ରହମାନ ଗୀତ ବନ୍ଦ କରିଥିଲେ।

Exit mobile version