Site icon ଆଜିକାଲି

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ, ରାହାଣେ ଫେରିଲେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିଏଫ) ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ । ଆହତ ରିଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଜସପ୍ରୀତ ବୁମରାଙ୍କୁ ସ୍ଥାନ ମିଳି ନାହିଁ ।

ପ୍ରାୟ ଏକ ବର୍ଷ ପରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଦଳକୁ ଫେରିଛନ୍ତି । ଶ୍ରେୟସ୍ ଆୟରଙ୍କ ଅନୁପସ୍ଥିତି ଯୋଗୁଁ ମିଡିଲ ଅର୍ଡରରେ ଖାଲି ଥିବା ସ୍ଥାନ ନେଇଛନ୍ତି ରାହାଣେ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇଥିଲା। କିନ୍ତୁ ସେ ବିଫଳ ହୋଇଥିଲେ | ତେଣୁ ସୂର୍ଯ୍ୟକୁମାରଙ୍କ ପରିବର୍ତ୍ତେ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଭରସା ପ୍ରକଟ କରିଛନ୍ତି ଚୟନକର୍ତ୍ତା । ଏହାଛଡା ଚଳିତ ଆଇପିଏଲରେ ମଧ୍ୟ ରାହାଣେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାହାଣେ ଶେଷ ଥର ଜାନୁଆରୀ ୨୦୨୨ରେ କେପ୍ ଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ଖେଳିଥିଲେ ।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ସତ୍ତ୍ୱେ କେଏଲ ରାହୁଲ ଟିମ୍ ଇଣ୍ଡିଆରେ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ। ଦଳରେ କେ.ଏସ୍ ଭରତ ଏକମାତ୍ର ଓ୍ବିକେଟ୍ କିପର। ତେବେ ମଧ୍ୟକ୍ରମକୁ ଆହୁରି ମଜବୁତ କରିବା ପାଇଁ ଅଧିନାୟକ ରୋହିତ ଶର୍ମା, ରାହୁଲଙ୍କୁ ୱିକେଟ୍ କିପିଂର ଅତିରିକ୍ତ ଦାୟିତ୍ବ ଦେବେ କି ନାହିଁ ତାହା ଦେଖିବା ମଜାଦାର ହେବ।

ବୋଲିଂ ବିଭାଗରେ ତିନି ଜଣ ସ୍ପିନରଙ୍କୁ ଟିମ୍ ଇଣ୍ଡିଆ ସ୍ଥାନ ଦେଇଛି। ଇଂଲଣ୍ଡର ପରିବେଶ ଦୃଷ୍ଟିରୁ କେବଳ ଦୁଇ ଜଣ ସ୍ପିନର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଏଭଳି ସ୍ଥିତିରେ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡିପାରେ। ଶାମି ଏବଂ ସିରାଜ ପେସ୍ ଆକ୍ରମଣର ନେତୃତ୍ବ ନେବେ। ଏହି ଦୁଇ ପେସରଙ୍କ ବ୍ୟତୀତ ଜୟଦେବ ଉନାଦକଟ, ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସୂଚନା ଯେ, ଭାରତ-ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ଜୁନ୍ ୭ ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନର ଓଭାଲରେ ଖେଳାଯିବ ।

ଭାରତୀୟ ଦଳ : ରୋହିତ ଶର୍ମା (କ୍ୟାପଟେନ୍), ଶୁଭମାନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ୍ ରାହୁଲ, କେ.ଏସ୍ ଭରତ (ୱିକେଟ୍ କିପର), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର, ଜୟଦେବ ଉନାଦକଟ୍ ।

Exit mobile version