Site icon ଆଜିକାଲି

ରାହୁଲଙ୍କ ଦାବି, ମଧ୍ୟ ପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ

ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ କଂଗ୍ରେସର ନଜର ଏବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଉପରେ ରହିଛି । ମଧ୍ୟ ପ୍ରଦେଶରେ ଦଳ ୧୫୦ଟି ଆସନ ଜିତିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ ।

ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ସେଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଦଳ କର୍ଣ୍ଣାଟକରେ ଯାହା କରିଛି ତାହା ମଧ୍ୟପ୍ରଦେଶରେ ଦୋହରାଇବ। ଆମର ନିଜସ୍ବ ସର୍ଭେ ଅନୁଯାୟୀ ମଧ୍ୟପ୍ରଦେଶରେ ଆମେ ୧୫୦ଟି ସିଟ୍ ନିଶ୍ଚିତ ପାଇବୁ । ମଧ୍ୟପ୍ରଦେଶରେ ଆମେ କର୍ଣ୍ଣାଟକ ପ୍ରଦର୍ଶନର ପୁନରାବୃତ୍ତି କରିବାକୁ ଯାଉଛୁ। ”

ତେବେ ଯେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନାମ ବିଷୟରେ ପଚରାଗଲା, ସେ କିଛି ଉତ୍ତର ନ ଦେଇ ଚାଲି ଯାଇଥିଲେ। ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ଏଥର ମଧ୍ୟ କମଲ ନାଥ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବେ କି? ଜବାବରେ ରାହୁଲ ଗାନ୍ଧୀ କହିଥିଲେ ଭାଇ, ୧୫୦ଟି ଆସନ ଆସିବାକୁ ଯାଉଛି। ସେ ସିଏମ୍ ପ୍ରାର୍ଥୀ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଚାଲି ଯାଇଥିଲେ। ଏହି ସମୟରେ କମଲ ନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଦଳର ରାଜ୍ୟ ପ୍ରଭାରୀ ଜୟପ୍ରକାଶ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସଂଗଠନ ଏବଂ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

୨୦୧୮ରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଉଭୟ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିଲା। ତେବେ ୨୦୨୦ରେ କିଛି ଦଳୀୟ ବିଧାୟକ ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ଶିବରାଜ ସିଂ ଚୌହାନ ପୁଣିଥରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Exit mobile version