Site icon ଆଜିକାଲି

‘ମୋଦୀ ସରନେମ୍’ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ଜେଲ୍ ଦଣ୍ଡାଦେଶ ସହ ମିଳିଲା ବେଲ୍

ସୁରଟ: ‘ମୋଦୀ ସରନେମ୍’ ମାମଲାରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଚାରିବର୍ଷ ତଳେ ଏକ ନିର୍ବାଚନୀ ରାଲିରେ ‘ସବୁ ଚୋରଙ୍କ ନାମ ମୋଦୀ …’ କାହିଁକି ବୋଲି ରାହୁଲ ବୟାନ ଦେଇଥିଲେ । ଏନେଇ ତାଙ୍କ ବିରୋଧରେ ଗୁଜରାଟର ଜଣେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ଦାୟର କରିଥିଲେ । କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ତେବେ ରାହୁଲଙ୍କୁ ଜାମିନ ମିଳିଛି । ଏହି ମାମଲାର ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ମାର୍ଚ୍ଚ ୧୭ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ରାୟ ପ୍ରକାଶ ବେଳେ ରାହୁଲ କୋର୍ଟରେ ଉପସ୍ଥିତ ଥିଲେ।

ରାହୁଲଙ୍କୁ ଆଇପିସିର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୁଇ ‌‌ବର୍ଷ ଦଣ୍ଡାଦେଶ ହୋଇଥିବାରୁ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ସମ୍ଭାବନା ରହିଛି । ତେବେ ରାହୁଲଙ୍କ ଓକିଲ କହିଛନ୍ତି ଯେ ସୁରଟ କୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ରାହୁଲ ଏକ ରାଲିରେ କହିଥିଲେ ଯେ ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ରହିଥାଏ। ସେ ଲଲିତ ମୋଦୀ କିମ୍ବା ନିରବ ମୋଦୀ ଅବା ନରେନ୍ଦ୍ର ମୋଦୀ ହୁଅନ୍ତୁ ନା କାହିଁକି, ସବୁ ଚୋରଙ୍କ ସାଙ୍ଗିଆ କାହିଁକି ‘ମୋଦୀ’ ରହିଛି ବୋଲି ଏହି କଂଗ୍ରେସ ନେତା କହିଥିଲେ। ଏହି ମାମଲାର ଶୁଣାଣି ସମୟରେ ରାହୁଲ ଗାନ୍ଧୀ ତିନିଥର କୋର୍ଟରେ ହାଜର ହୋଇଥିଲେ। ଅକ୍ଟୋବର ୨୦୨୧ ର ଶେଷ ଶୁଣାଣି ସମୟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

ରାହୁଲଙ୍କ ବିରୋଧରେ ସୁରଟ ପଶ୍ଚିମ ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ଦାୟର କରିଥିଲେ । ପୂର୍ଣ୍ଣେଶ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆମ ସମାଜକୁ ଚୋର ବୋଲି କହିଛନ୍ତି। ତାଙ୍କ ମନ୍ତବ୍ୟ ଆମର ତଥା ଆମ ସମାଜର ଭାବନାକୁ ଆଘାତ ଦେଇଛି ବୋଲି ସେ ଅଭିଯୋଗ କରିଥିଲେ।

Exit mobile version