Site icon ଆଜିକାଲି

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ସୁରଟ : ଚାରି ବର୍ଷ ତଳର ଏକ ମାନହାନି ମାମଲାରେ ସୁରଟର ଏକ ଦୌରା କୋର୍ଟ ସୋମବାର ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାଛଡ଼ା ତାଙ୍କ ଆବେଦନର ଶୁଣାଣି ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୩ ଏପ୍ରିଲରେ ହେବ।

ରାହୁଲ ଗାନ୍ଧୀ ତଳ କୋର୍ଟ ରାୟକୁ ଆଜି ସୁରଟର ଦୌରା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଶୁଣାଣି ବେଳେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ । ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଆଜି ସୁରଟରେ ପହଞ୍ଚିଥିଲେ। ଏହା ସହିତ କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗୁଜରାଟରେ ପହଞ୍ଚିଥିଲେ ।

‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ନେଇ ଦାୟର ଏକ ମାନହାନି ମାମଲାରେ ସୁରଟର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏଚ୍ଏଚ୍ ବର୍ମା ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

ତେବେ ସେହି ଦିନ ହିଁ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କ ଦଣ୍ଡକୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ, ଯାହାଫଳରେ ସେ ଉପର କୋର୍ଟରେ ଆବେଦନ କରିପାରିବେ। କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ୨୪ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ଯଦି ରାହୁଲ ଗାନ୍ଧୀଙ୍କ ବିରୋଧରେ ତଳକୋର୍ଟ ରାୟକୁ ଉପର ଅଦାଲତ କାଏମ ରଖନ୍ତି, ତେବେ ଏହି କଂଗ୍ରେସ ନେତା ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ​​ଲଢ଼ିପାରିବେ ନାହିଁ ।

‘ମୋଦୀ ସାଙ୍ଗିଆ’ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ ।

Exit mobile version