Site icon ଆଜିକାଲି

ରାହୁଲ ଗାନ୍ଧୀ ଦେଶର ଏକତା ପ୍ରତି ବିପଦ: ରିଜିଜୁ

ନୂଆଦିଲ୍ଲୀ: ଲଣ୍ଡନରେ ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରାହୁଲ ଗାନ୍ଧୀଙ୍କୁ ଦେଶର ଏକତା ପ୍ରତି ବିପଦ ବୋଲି କହିଛନ୍ତି। ରିଜିଜୁ ଟ୍ୱିଟ୍ କରି ଲଣ୍ଡନରେ ଦେଇଥିବା ବୟାନ ପାଇଁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନାର ଏକ କିୟଦଂଶ ସେୟାର କରି ରିଜିଜୁ ଲେଖିଛନ୍ତି – ରାହୁଲ ଗାନ୍ଧୀ ଆମ କଥା ଶୁଣିବେ ନାହିଁ, କିନ୍ତୁ ଆଶା କରୁଛି ସେ ତାଙ୍କର ଶୁଭେଚ୍ଛୁମାନଙ୍କ କଥା ଶୁଣିବେ।”

“କଂଗ୍ରେସର ଆତ୍ମଘୋଷିତ ଯୁବରାଜ ସବୁ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଦେଶର ଏକତା ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛନ୍ତି। ବର୍ତ୍ତମାନ ସେ ଦେଶକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ଭାରତର ସବୁଠାରୁ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ହେଉଛି “ଏକ ଭାରତ, ଶ୍ରେଷ୍ଠ ଭାରତ”।

ଏହାପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ । ଠାକୁର କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କର ବିଫଳତାକୁ ଲୁଚାଇବା ପାଇଁ ବିଦେଶରେ ଭାରତର ଭାବମୂର୍ତ୍ତି ଖରାପ କରୁଛନ୍ତି। ବିରୋଧୀ ଦଳର ଅନେକ ନେତା ଓ କିଛି ବୁଦ୍ଧିଜୀବୀ ମଧ୍ୟ ଲଣ୍ଡନରେ ଦେଇଥିବା ତାଙ୍କ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିଶ୍ୱ ମଞ୍ଚରେ ଭାରତର ଛବି ଖରାପ କରୁଛି।

ନିକଟରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ମୋଦୀ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ଧ୍ବସ୍ତ କରୁଛନ୍ତି। ସେ ସମଗ୍ର ଦେଶ ଉପରେ ଏପରି ବିଚାର ଲଦିବାକୁ ଚାହୁଁଛନ୍ତି ଯାହାକୁ ଭାରତ ଗ୍ରହଣ କରିପାରିବ ନାହିଁ।

ରାହୁଲ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ମହିଳାମାନଙ୍କୁ ଗ୍ୟାସ ସିଲିଣ୍ଡର ଦେବା ଏବଂ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭଲ ପଦକ୍ଷେପ, କିନ୍ତୁ ଭାରତ ହେଉଛି ଏକ ସଂଘୀୟ ରାଷ୍ଟ୍ର । ଭାରତ ଏହାର ଧାର୍ମିକ ବିବିଧତା ପାଇଁ ପରିଚିତ | ଏହି ଦେଶରେ ଶିଖ, ମୁସଲମାନ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମଧ୍ୟ ରୁହନ୍ତି । କିନ୍ତୁ ମୋଦୀ ସେମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବିବେଚନା କରନ୍ତି। ମୋଦୀ ସରକାର ଦେଶର ସବୁ ସାମ୍ବିଧାନିକ ଅନୁଷ୍ଠାନକୁ ନିୟନ୍ତ୍ରଣ କରୁଛନ୍ତି । ବିରୋଧୀ ଦଳ ନେତାଙ୍କ ବିରୋଧରେ ମିଥ୍ୟା କେସ୍ ରୁଜୁ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଥିଲେ ।

Exit mobile version