Site icon ଆଜିକାଲି

ଆଇପିଏଲ-୨୦୨୩ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ବୋଲିଂ କରିବ ଚେନ୍ନାଇ

ଜୟପୁର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୭ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ମ୍ୟାଚରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ।

ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ । ସୁପରକିଙ୍ଗ୍‌ସ ବିପକ୍ଷରେ ଆଧିପତ୍ୟ ଜାରି ରଖି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ । ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମାହି-ଆଣ୍ଡ-କୋ ରଣନୀତି ପ୍ରସ୍ତୁତ କରିଛନ୍ତି । ଗତ ୧୨ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଚେପକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରୟାଲ୍ସ ଦଳ ୩ ରନ୍‌ରେ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା । ଏହାପରେ ସୁପରକିଙ୍ଗ୍‌ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ରୟାଲ୍ସ ଦଳ ୧୬ ତାରିଖରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା । ଏହାପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଦଳ ପରାଜିତ ହୋଇଛି । ଉଭୟ ଦଳ ପରସ୍ପରକୁ ୨୭ଥର ଭେଟିଛନ୍ତି । ଏଥିରୁ ସୁପରକିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଥିବା ବେଳେ ରୟାଲ୍ସ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଜୋସ ବଟଲର ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବାରୁ ରୟାଲ୍ସର ବ୍ୟାଟିଂ ବିଭାଗ ଦୁର୍ବଳ ମନେ ହେଉଛି । ବାକି ସବୁ ବ୍ୟାଟରମାନେ ଫର୍ମରେ ରହିଥିବାରୁ ଜୋ ରୁଟ୍‌ଙ୍କ ଭଳି ବ୍ୟାଟରଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ । ଆସନ୍ତାକାଲି ସେ ବଟଲରଙ୍କ ସ୍ଥାନରେ ପଦାର୍ପଣ କରିବା ଆଶା କରାଯାଉଛି । ସୁପରକିଙ୍ଗ୍‌ସ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ୍ ରହିଛି। ବେନ୍ ଷ୍ଟୋକ୍ସ ଓ ଦୀପକ ଚହର ଏପର୍ଯ୍ୟନ୍ତ ଫିଟ୍‌ ହୋଇ ନାହାନ୍ତି । ତେଣୁ ଦଳରେ ପର୍ଯ୍ୟାପ୍ତ ପରିମାଣର ଅତିରିକ୍ତ ଖେଳାଳି ନାହାନ୍ତି । ପିଚ୍‌ ସ୍ପିନ ବୋଲରଙ୍କ ସୁହାଇଲେ ମଥିଶା ପତିରଣାଙ୍କ ସ୍ଥାନରେ ମିଚେଲ ସାଣ୍ଟନରଙ୍କୁ ଏକାଦଶରେ ସୁଯୋଗ ମିଳିବା ଆଶା କରାଯାଇବାରେ ।

Exit mobile version