Site icon ଆଜିକାଲି

ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ସନ୍ଥନର ମୃତ୍ୟୁ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସନ୍ଥନକୁ ସୁପ୍ରିମକୋର୍ଟ ଦୁଇବର୍ଷ ତଳେ ମୁକ୍ତ କରିଥିଲେ।

ସନ୍ଥନ୍ ଓରଫ୍ ଟି.ସୁଟେନ୍ଦ୍ରରାଜ(୫୫) ଜଣେ ଶ୍ରୀଲଙ୍କା ନାଗରିକ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୨୦ ବର୍ଷରୁ ଅଧିକ ସମୟ ଜେଲଦଣ୍ଡ କାଟିଥିବା ୭ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ୨୦୨୨ ମସିହାରେ ମୁକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ସନ୍ଥନ ବି ଥିଲା ।

ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସପିଟାଲର ଡିନ୍ ଇ.ଥୀରାନିରାଜନ କହିଛନ୍ତି, ସନ୍ଥନର ବୁଧବାର ସକାଳ ୭.୫୦ରେ ମୃତ୍ୟୁ ହୋଇଛି । କିଡନୀ ସମସ୍ୟା ଯୋଗୁଁ ସନ୍ଥନ ଚିକିତ୍ସିତ ହେଉଥିଲା। ଆଜି ଭୋର ପ୍ରାୟ ୪ଟା ବେଳେ ସନ୍ଥନର ହୃଦଘାତ ହୋଇଥିଲା । ଏହା ପରେ ତାକୁ ସି.ଆର.ପି (କାର୍ଡିଓପୁଲମୋନାରୀ ରିସସିଟେସନ୍) ଦିଆଯିବା ସହ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।ସକାଳ ୭.୫୦ରେ ତା’ର ମୃତ୍ୟୁ ହୋଇଯାଇଥିଲା ।

ପୋଷ୍ଟମର୍ଟମ ପରେ ଶବକୁ ଶ୍ରୀଲଙ୍କାକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଡିନ୍ କହିଛନ୍ତି, କିଡନୀ ଅକାମୀ ହେବାରୁ ଜାନୁଆରୀ ୨୭ରେ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର କ୍ୟାମ୍ପରୁ ସନ୍ଥନକୁ ଏଠାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଜେଲରୁ ମୁକୁଳିବା ପରେ ସନ୍ଥନକୁ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା।

Exit mobile version