Site icon ଆଜିକାଲି

‘ରାମ ସେତୁ’ ବିରୋଧରେ କପି ଅଭିଯୋଗ ଆଣିଲେ ଇତିହାସବିତ୍; ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ

ବିବାଦରେ ଛନ୍ଦି ହେଲା ‘ରାମ ସେତୁ’, କପି ଅଭିଯୋଗ ଆଣି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ
ମୁମ୍ବାଇ: କ୍ରମାଗତ ଫ୍ଲପ୍ ପରେ ଅକ୍ଷୟ କୁମାରଙ୍କ ସଦ୍ୟତମ ଫିଲ୍ମ ‘ରାମ ସେତୁ’ ବକ୍ସ ଅଫିସରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଛି । ହେଲେ ଏହି ଫିଲ୍ମ ଏବେ ବିବାଦରେ ଛନ୍ଦି ହୋଇପଡିଛି। ପଞ୍ଜାବର ଜଣେ ଇତିହାସବିତ୍ ଦାବି କରିଛନ୍ତି ଯେ ତାଙ୍କର ବିନା ଅନୁମତିରେ ଫିଲ୍ମ ନିର୍ମାତା ତାଙ୍କ ଗବେଷଣା କାର୍ଯ୍ୟର କପି କରିଛନ୍ତି ।

ଏହି ଇତିହାସବିତ୍ ହେଉଛନ୍ତି ପଞ୍ଜାବର ଅଶୋକ କୁମାର କୈନ୍ଥ, ଯିଏ ବର୍ତ୍ତମାନ ଶ୍ରୀଲଙ୍କାରେ କାର୍ଯ୍ୟ କରୁଛନ୍ତି। ସେ ଶ୍ରୀଲଙ୍କାର ରାମାୟଣ ଅନୁସନ୍ଧାନ କମିଟିର ମୁଖ୍ୟ ଅଟନ୍ତି । ସେ କହିଛନ୍ତି ଯେ ଫିଲ୍ମ ‘ରାମ ସେତୁ’ ମୁଖ୍ୟ ଚରିତ୍ର ‘ଆର୍ଯ୍ୟନ୍’ ତାଙ୍କ ଜୀବନୀ ଉପରେ ଆଧାରିତ। ଏହାଛଡ଼ା ନିର୍ମାତାମାନେ ତାଙ୍କ ଅନୁସନ୍ଧାନ କାର୍ଯ୍ୟକୁ ବିନା ଅନୁମତିରେ କପି କରିଛନ୍ତି | ସେ କହିଛନ୍ତି ଯେ ସେ ଶ୍ରୀଲଙ୍କାରେ ରାମାୟଣ ତଥ୍ୟ ଉପରେ ଗବେଷଣା କରିଥିଲେ ଏବଂ ସମାନ ବିଷୟବସ୍ତୁ ‘ରାମ ସେତୁ’ରେ ପ୍ରଦର୍ଶିତ କରାଯାଇଛି।

ଅଶୋକ କୁମାର କୈନ୍ଥ କହିଛନ୍ତି ଯେ ଯଦି ‘ରାମ ସେତୁ’ର ନିର୍ମାତାମାନେ ମୋ ସହ ଏହି ବିଷୟ ଉପରେ ଆଲୋଚନା କରିଥାନ୍ତେ, ତେବେ ଏହି ଫିଲ୍ମ ଆହୁରି ଭଲ ହୋଇପାରିଥାନ୍ତା। ମୁଁ ତୃଣମୂଳ ସ୍ତରରେ ଏହି ବିଷୟ ଉପରେ କାର୍ଯ୍ୟ କରିଛି ଏବଂ ମୁଁ ଏହା ବିଷୟରେ ବହୁତ କିଛି ଜାଣିଛି । ଫିଲ୍ମ ନିର୍ମାତାଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କୈନ୍ଥ କହିଛନ୍ତି ।

ସୂଚନା ଯେ, ଅଭିଷେକ ଶର୍ମା ‘ରାମ ସେତୁ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଛନ୍ତି । ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମରେ ନୁସରତ ଭରୁଚା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପାବଳି ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି ।

FacebookTwitterLinkedinWhatsapp
Exit mobile version