Site icon ଆଜିକାଲି

ରଣବୀର-ଆଲିଆଙ୍କୁ ଉଜ୍ଜୈନର ମହାକାଳେଶ୍ଵର ମନ୍ଦିରରେ ପ୍ରବଳ ବିରୋଧ

ଉଜ୍ଜୈନ : ବଲିଉଡ୍ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଉଜ୍ଜୈନର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ବିରୋଧ କରାଯାଇଛି । ରଣବୀର-ଆଲିଆ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର”ର ପ୍ରମୋସନ୍ ପାଇଁ ମହାକାଳେଶ୍ଵର ମନ୍ଦିର ଆସିଥିଲେ । ସେମାନେ ସନ୍ଧ୍ୟା ପୂଜାରେ ଯୋଗ ଦେବାର ଥିଲା। କିନ୍ତୁ କିଛି ହିନ୍ଦୁ ସଂଗଠନର ବିରୋଧ ଯୋଗୁଁ ରଣବୀର-ଆଲିଆଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା ।

ରଣବୀର ଏବଂ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏହି ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ରିଲିଜ୍ ପୂର୍ବରୁ ଉଭୟ ରଣବୀର-ଆଲିଆ ଆଶୀର୍ବାଦ ନେବା ପାଇଁ ମହାକାଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ । କିନ୍ତୁ ‘ବିଫ୍(ଗୋମାଂସ)’ ଖାଇବା ନେଇ ରଣବୀରଙ୍କ ଏକ ମନ୍ତବ୍ୟ ପ୍ରତିବାଦରେ ବଜରଙ୍ଗ ଦଳ କର୍ମୀମାନେ ରଣବୀର ଏବଂ ଆଲିଆଙ୍କୁ ବିରୋଧ କରିଥିଲେ। ଏହି ଘଟଣାକୁ ସୁନିଶ୍ଚିତ କରି ମହାକାଳ ପୋଲିସ ଥାନା ଅଧିକାରୀ କହିଛନ୍ତି ଯେ ବିକ୍ଷୋଭକାରୀଙ୍କୁ ଘଉଡିବା ପାଇଁ ସେମାନଙ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସର ଲାଠିଚାର୍ଜ ସତ୍ତ୍ୱେ ବିକ୍ଷୋଭକାରୀମାନେ ରଣବୀର-ଆଲିଆଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇନଥିଲେ । ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦର୍ଶନ ପାଇଁ ପହଞ୍ଚିବା ମାତ୍ରେ ବଜରଙ୍ଗ ଦଳର କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବଜରଙ୍ଗ ଦଳର ନେତା ଅଙ୍କିତ ଚୌବେ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ତାଙ୍କୁ ପବିତ୍ର ମହାକଳେଶ୍ୱର ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦେବୁ ନାହିଁ । କାରଣ ରଣବୀର କପୁର ଏକ ସାକ୍ଷାତକାରରେ ସେ ନିରାମିଷ ଭୋଜନରେ ବିଫ୍ (ଗୋମାଂସ) ଖାଇବାକୁ ପସନ୍ଦ କରନ୍ତି ବୋଲି କହିଥିଲେ। ଚୌବେ ଦାବି କରିଛନ୍ତି ଯେ ଏପରିକି ଆଲିଆ ମଧ୍ୟ କହିଥିଲେ କି, ଯେଉଁମାନେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ବିରୋଧ କରୁଛନ୍ତି ସେମାନେ ଏହି ଫିଲ୍ମ ନଦେଖନ୍ତୁ ।

ଅନ୍ୟପକ୍ଷରେ ମହାକାଳେଶ୍ଵର ମନ୍ଦିର ପୁରୋହିତ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମନ୍ଦିର ପରିଦର୍ଶନ ମହାକାଳେଶ୍ଵର ଦର୍ଶନ କରିଛନ୍ତି। ଆଇପିସିର ଧାରା ୩୫୩ ଅନୁଯାୟୀ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Exit mobile version