Site icon ଆଜିକାଲି

ହକିକୁ ଅଲବିଦା, ଅବସର ଘୋଷଣା କଲେ ରାନୀ ରାମପଲ

ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟକ ରାନୀ ରାମପଲ ଅବସର ଘୋଷଣା କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ତାଙ୍କ ନେତୃତ୍ୱରେ ଖେଳିଥିଲା। ଏଥିସହ ଭାରତୀୟ ଟିମ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲା। ଟୋକିଓ ଅଲିମ୍ପିକ୍ସ ପରେ ୨୯ ବର୍ଷୀୟ ରାନୀ ଆହତ ସମସ୍ୟା ଦେଇ ଗତି କରିଥିଲେ। ଏବେ ସେ ନିଜ ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଦୀର୍ଘ ୧୬ ବର୍ଷ ହେଲା ହକି ଖେଳି ଆସୁଥିବା ରାନୀ ନିଜ ଦକ୍ଷତା ବଳରେ ବେଶ ପରିଚୟ ହାସଲ କରିଥିଲେ।

ଭାରତ ପାଇଁ ୨୫୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ରାନୀଙ୍କ ଷ୍ଟିକୁ ୧୦୦ରୁ ଅଧିକ ଗୋଲ ଦେଖିବାକୁ ମିଳିଥିଲା। ଆଜି ନିଜର ଅବସର ସମ୍ପର୍କରେ ଘୋଷଣା କରି ରାନୀ କହିଛନ୍ତି, “ଏହା ଅତ୍ୟନ୍ତ ଅଦ୍ଭୁତ ପୂର୍ବ ଯାତ୍ରା ଥିଲା। ଭାରତ ପାଇଁ ମୁଁ ଏତେ ଦିନ ଖେଳିବି ବୋଲି କେବେ ଭାବି ନଥିଲି। ପିଲାଟି ବେଳୁ ଗରିବୀକୁ ମୁଁ ପାଖରୁ ଦେଖିଥିଲି। କିନ୍ତୁ ମୁଁ ସବୁବେଳେ କିଛି କରିବା ପାଇଁ ଓ ମୋ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲି। ଦେଶ ପାଇଁ ଖେଳିବା ଠାରୁ ଖୁସି ଆଉ କିଛି ହୋଇ ନଥାଇ ପାରେ।”

କିଛି ଦିନ ତଳେ ଜାତୀୟ ସବ ଜୁନିୟର ଟିମର କୋଚ ଭାବେ ରାନୀଙ୍କୁ ନିଯୁକ୍ତି ମିଳିଥିଲା। ଏହାର କିଛି ଦିନ ପରେ ସେ ହକିକୁ ଅଲବିଦା କହିଛନ୍ତି। ରାନୀ ମାତ୍ର ୧୪ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ୨୦୦୮ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ସେ ନଜର ଆସିଥିଲେ। ସେ ସର୍ବକନିଷ୍ଠ ହକି ଖେଳାଳି ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

Exit mobile version