Site icon ଆଜିକାଲି

ସଂସଦ ସୁରକ୍ଷା ତ୍ରୁଟି ଘଟଣା ପଛର କାରଣ ବେକାରୀ ଓ ଦରବୃଦ୍ଧି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭେଦ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, ଏହି ଘଟଣା ପଛର କାରଣ ହେଉଛି ବେକାରୀ ଏବଂ ଦରବୃଦ୍ଧି ଭଳି ସମସ୍ୟା । ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ଏଭଳି କହିଛନ୍ତି।

ସେ କହିଛନ୍ତି, “ସୁରକ୍ଷାରେ ତ୍ରୁଟି ଦେଖାଦେଇଛି, କିନ୍ତୁ ଏହା କାହିଁକି ଘଟିଲା? ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ବେକାରୀ ସମସ୍ୟା, ଯାହା ନେଇ ସାରା ଦେଶରେ ଅଶାନ୍ତି ଦେଖାଦେଇଛି |

ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ଭାରତର ଯୁବକମାନେ ରୋଜଗାର ପାଉନାହାଁନ୍ତି। ସଂସଦ ସୁରକ୍ଷା ଭଙ୍ଗ ପଛର କାରଣ ହେଉଛି ବେକାରୀ ଏବଂ ଦରବୃଦ୍ଧି ବୋଲି ସେ କହିଛନ୍ତି ।

ସଂସଦ ଉପରେ ୨୦୦୧ର ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଗତ ବୁଧବାର ବଡ଼ ଧରଣର ସୁରକ୍ଷା ତ୍ରୁଟି ଘଟିଥିଲା । ଲୋକସଭାରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁପଡିଥିଲେ । ସେମାନେ ଜୋତାରେ ଲୁଚାଇ ଆଣିଥିବା ‘ଗ୍ୟାସ୍ କେନ୍’ ବାହାର କରି ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିଲେ। ଏହି ଘଟଣା ଯୋଗୁଁ ସାଂସଦଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହେଲେ କିଛି ସାଂସଦ ସାହସ ଜୁଟାଇ ଉଭୟଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣାର ଠିକ୍ କିଛି ସମୟ ମଧ୍ୟରେ ସଂସଦ ବାହାରେ ହଳଦିଆ ଏବଂ ନାଲି ଧୂଆଁ ସ୍ପ୍ରେ କରି ବିରୋଧ ପ୍ରଦର୍ଶନ କରୁଥିବା ଜଣେ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇଥିଲା।

ଲୋକସଭା ଭିତରକୁ ଡେଇଁଥିବା ଦୁଇ ଜଣ ଯୁବକଙ୍କ ନାମ ସାଗର ଶର୍ମା ଏବଂ ମନୋରଂଜନ ଡି। ସଂସଦ ଗୃହ ବାହାରେ ଗିରଫ ହୋଇଥିବା ଆଉ ଦୁଇ ଜଣ ହେଲେ ହରିୟାଣାର ଜିନ୍ଦ ଜିଲ୍ଲାର ଘାସୋ ଖୋର୍ଦର ଗାଁ ନୀଲମ (୪୨) ଏବଂ ମହାରାଷ୍ଟ୍ର ଲାଟୁରର ବାସିନ୍ଦା ଅମୋଲ ସିନ୍ଦେ (୨୫) । ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିହାରର ଲଳିତ ଝାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।

Exit mobile version