Site icon ଆଜିକାଲି

ରିସେପ୍ସନିଷ୍ଟ ହତ୍ୟା ମାମଲା: ଅଭିଯୁକ୍ତ ବିଜେପି ନେତାଙ୍କ ପୁଅର ରିସର୍ଟରେ ବୁଲିଲା ବୁଲଡୋଜର


ଡେରାଡୁନ: ରିସେପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଅଭିଯୁକ୍ତ ବିଜେପି ନେତାଙ୍କ ପୁଅର ରିଷିକେଶ ସ୍ଥିତ ରିସର୍ଟକୁ ବୁଲଡୋଜର ଲଗାଇ ଭାଙ୍ଗାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନିର୍ଦ୍ଦେଶରେ ଶୁକ୍ରବାର ରାତିରେ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ବୁଲଡୋଜର ବୁଲିଥିଲା। ପୁଲକିତ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ। ପୁଲକିତଙ୍କ ରିସର୍ଟରେ ୧୯ ବର୍ଷୀୟା ଅଙ୍କିତା ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ | ଏହି ମାମଲାରେ ପୁଲକିତଙ୍କ ସହ ତାଙ୍କର ଦୁଇ ସହଯୋଗୀ ଅଙ୍କିତ ଓରଫ୍ ପୁଲକିତ ଗୁପ୍ତା ଏବଂ ସୌରଭ ଭାସ୍କରଙ୍କୁ ମଧ୍ୟ ଗିରଫ କରାଯାଇଛି।

ଅଙ୍କିତା ୧୮ ସେପ୍ଟେମ୍ବରରୁ ନିଖୋଜ ଥିଲେ | ଏନେଇ ତାଙ୍କ ପିତା ରିସର୍ଟରେ ପହଞ୍ଚି କର୍ମଚାରୀମାନଙ୍କୁ ନିଜ ଝିଅ ବିଷୟରେ ପଚାରିଥିଲେ। ଝିଅର ପତ୍ତା ନ ମିଳିବା ପରେ ସେ ଥାନାରେ ଏନେଇ ଅଭିଯୋଗ ଦେଇଥିଲେ। ଅଙ୍କିତାଙ୍କୁ ଖୋଜିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ଏକ ଅଭିଯାନ ଚାଲିଥିଲା | ସନ୍ଦେହରେ ପୋଲିସ ପୁଲକିତଙ୍କୁ ପଚରାଉଚରା କରିଥିଲା। ଅଙ୍କିତାଙ୍କୁ ସେ ଗଙ୍ଗା ନଦୀକୁ ଠେଲି ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଥିଲା। ଏହା ପରେ ଉଦ୍ଧାରକାରୀ ସଂସ୍ଥା ଚିଲ୍ଲା ପାୱାର ହାଉସ ନିକଟ କେନାଲରୁ ଅଙ୍କିତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ତାଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିବା ଅଙ୍କିତାଙ୍କୁ ତାଙ୍କ ରିସର୍ଟର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ । ଏପରି କରିବାକୁ ଅଙ୍କିତା ମନା କରିବାରୁ ତାଙ୍କୁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ଏକ ପାହାଡରୁ ଗଙ୍ଗା ନଦୀକୁ ଠେଲି ହତ୍ୟା କରିଥିଲେ । ଶୁକ୍ରବାର ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୁଲକିତଙ୍କ ରିସର୍ଟକୁ ସିଲ୍ କରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏପରିକି କିଛି ମହିଳା ପୋଲିସ ଭ୍ୟାନକୁ ଅଟକାଇ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକମାନେ ପୁଲକିତ ଆର୍ଯ୍ୟଙ୍କ ରିସୋର୍ଟରେ ମଧ୍ୟ ଭଙ୍ଗାରୁଜା କରିଥିଲେ ।

Exit mobile version