Site icon ଆଜିକାଲି

‘ଚୀନ୍‌ର ଅତିକ୍ରମଣ’ ଉପରେ ସଂସଦରେ ଆଲୋଚନା ପାଇଁ ମନା କରିବା ଗଣତନ୍ତ୍ରର ଅସମ୍ମାନ: ସୋନିଆ

ନୂଆଦିଲ୍ଲୀ: ସୀମାରେ ‘ଚୀନ୍‌ର ଅତିକ୍ରମଣ’ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାକୁ ସରକାର ମନା କରିବା ଗଣତନ୍ତ୍ରର ଅସମ୍ମାନ । କେନ୍ଦ୍ରର ଏହି ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ସେ କହିଛନ୍ତି ଯେ ସମଗ୍ର ଦେଶ ଭାରତୀୟ ସୈନିକଙ୍କ ସହ ଛିଡା ହୋଇଛି । କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଯୋଗୁଁ ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ସୀମାରେ ପ୍ରକୃତ ସ୍ଥିତି ସମ୍ପର୍କରେ ସୂଚନା ମିଳୁନାହିଁ ।

କଂଗ୍ରେସ ସଂସଦୀୟ ଦଳର ବୈଠକରେ ଅଧ୍ୟକ୍ଷତା କରି ସୋନିଆ ଗାନ୍ଧୀ ଏହି କଥା କହିଛନ୍ତି । ଏହି ବୈଠକରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ଦଳର ନେତା ଅଧିର ରଂଜନ ଚୌଧୁରୀ ଏବଂ କଂଗ୍ରେସ ସାଂସଦମାନେ ଯୋଗ ଦେଇଥିଲେ।

କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି ଯେ ଆମ ସୀମାରେ ଚୀନ୍‌ର କ୍ରମାଗତ ଅତିକ୍ରମଣ ଏକ ଚିନ୍ତାଜନକ ବିଷୟ। ସମଗ୍ର ଦେଶ ଆମର ସତର୍କ ସୈନିକମାନଙ୍କ ସହିତ ଛିଡା ହୋଇଛି, ଯେଉଁମାନେ କଠିନ ପରିସ୍ଥିତିରେ ଚୀନ୍ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି । ସଂସଦରେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ମନା କରୁଛନ୍ତି। ଯାହା ଫଳରେ ରାଜନୈତିକ ଦଳ ଏବଂ ଜନସାଧାରଣ ପ୍ରକୃତ ସ୍ଥିତି ବିଷୟରେ ଅବଗତ ହୋଇପାରୁ ନାହାଁନ୍ତି ।

ସେ କହିଛନ୍ତି, “ଯେତେବେଳେ ବଡ଼ ଜାତୀୟ ଆହ୍ବାନ ଆସେ, ସଂସଦ ଉପରେ ଭରସା କରିବା ପରମ୍ପରା ରହିଆସିଛି। ଆଲୋଚନା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋକପାତ କରିପାରେ | କିନ୍ତୁ ଏହି ସରକାର ଆଲୋଚନା କରିବାକୁ ନାରାଜ ।

Exit mobile version