Site icon ଆଜିକାଲି

ଗଣତନ୍ତ୍ରର ବାଇପାସ୍ ସର୍ଜରୀ ହୋଇଛି, ମହୁଆ ମୈତ୍ର ବହିଷ୍କୃତ ହେବା ପରେ ଆସିଲା ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମମତା କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ହତ୍ୟା। ଲୋକସଭା ନିଷ୍ପତ୍ତିର କିଛି ମିନିଟ୍‌ ଭିତରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଗଣତନ୍ତ୍ରର ବାଇପାସ୍ ସର୍ଜରୀ ହୋଇଛି।

ଦାର୍ଜିଲିଂର କର୍ସିୟାଙ୍ଗରେ ମମତା ବାନାର୍ଜୀ କହିଛନ୍ତି କି, ‘ମୁଁ ଆପଣଙ୍କୁ କହୁଛି ଯେ ମହୁଆ ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଆମ ଦଳ ମହୁଆଙ୍କ ସହିତ ଅଛି। ଆମ ପାର୍ଟି ଇଣ୍ଡିଆ ମେଣ୍ଟ ସହିତ ମିଶି ଲଢ଼ିବ। ଏହା ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ। ବିଜେପିର ମନୋଭାବ ଦେଖି ମୋତେ ଦୁଃଖ ଲାଗୁଛି। ସେମାନେ କିପରି ଗଣତନ୍ତ୍ର ସହିତ ବିଶ୍ୱାସଘାତକତା କଲେ। ସେମାନେ ମହୁଆଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇ ନାହାନ୍ତି। ଏଥିରେ ଅନ୍ୟାୟ ହୋଇଛି’।

ସେ ଆହୁରି କହିଛନ୍ତି ଯେ ‘ପ୍ରତ୍ୟେକ ପାର୍ଟିକୁ ସମୟ ଦିଆଯାଇ ନାହିଁ। ୪୮୫ ପୃଷ୍ଠାର କାଗଜକୁ ପଢ଼ିବା ପାଇଁ ସମୟ ଦିଆଯାଇ ନାହିଁ। ମହୁଆ ଏହି ଯୁଦ୍ଧକୁ ଜିତିବେ ଏବଂ ଆମେ ତାଙ୍କ ସହିତ ଅଛୁ। ଜନତା ବିଜେପିକୁ ଉପଯୁକ୍ତ ଜବାବ ଦେବେ ଏବଂ ମହୁଆଙ୍କୁ ଜିତାଇବେ’।

Exit mobile version