Site icon ଆଜିକାଲି

ପୁଣି ବଢ଼ିଲା ଖୁଚୁରା ମୁଦ୍ରାସ୍ପୀତି, ନଭେମ୍ବରରେ ୫.୫ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ୨୦୨୩ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୫୫ ପ୍ରତିଶତ ରହିଛି। ଯାହା ଅକ୍ଟୋବର ୨୦୨୩ରେ ୪.୮୭ ପ୍ରତିଶତ ରହିଥିଲା। ଅବଶ୍ୟ ଏହି ବୃଦ୍ଧି ସତ୍ତ୍ବେ ମଧ୍ୟ ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୨-୬ ପ୍ରତିଶତ ନିୟନ୍ତ୍ରଣ ସୀମା ମଧ୍ୟରେ ରହିଛି।

ଏହା ପୂର୍ବରୁ ଗତ ସପ୍ତାହରେ ଆରବିଆଇର ଏମପିସି ବୈଠକରେ ଆରବିଆଇ ୨୦୨୩-୨୪ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୫.୪ ପ୍ରତିଶତ ରହିବା ଅନୁମାନ କରିଥିଲା। ସୂଚନାଥାଉକି, ୨୦୨୩ ଜୁଲାଇରେ ଟମାଟୋ ସହ ଖାଦ୍ୟ ସାମଗ୍ରୀର ଦାମ୍‌ ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ସବୁଠୁ ଉଚ୍ଚ ସ୍ତର ୭.୪୪ ପ୍ରତିଶତରେ ପହଞ୍ଚିଥିଲା। ହେଲେ ଏହାପରେ ଅନେକ ପ୍ରଚେଷ୍ଟା ପରେ ଅଗଷ୍ଟରେ ଏହାର ୬.୮୩ ଏବଂ ସେପ୍ଟେମ୍ବରରେ ୫.୦୨ ପ୍ରତିଶତକୁ ଖସିଥିଲା ମୁଦ୍ରାସ୍ଫୀତି।

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ତରଫରୁ ଜାରି ତଥ୍ୟରେ ନଭେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ମଧ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ନଭେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭୦ ପ୍ରତିଶତରେ ପହଞ୍ଚିଛି । ଯାହା ୨୦୨୩ ଅକ୍ଟୋବରରେ ୬.୬୧ ପ୍ରତିଶତ ରହିଥିଲା। ଫଳ, ପନିପରିବା, ଡାଲି ମସଲାର ଦାମ୍‌ରେ ବୃଦ୍ଧି ଯୋଗୁଁ ଖାଦ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଛି।

ଡାଲି ଦର ସାଧାରଣ ଲୋକଙ୍କ ଉପରେ ସବୁଠୁ ଅଧିକ ଦାଉ ସାଧିଛି। ଯାହା ଏହି ତଥ୍ୟରୁ ମଧ୍ୟ ସ୍ପଷ୍ଟ ହେଉଛି। ଡାଲି ଦର ନଭେମ୍ବରରେ ବଢ଼ି ୨୦.୨୩ ପ୍ରତିଶତ ହୋଇଛି, ଯାହା ଅକ୍ଟୋବରରେ ଏହା ୧୮.୭୯ ପ୍ରତିଶତ ଥିଲା। ସେହିଭଳି ଅକ୍ଟୋବର ତୁଳନାରେ ମିଲେଟ୍‌ ଏବଂ ଏହା ସହ ଜଡ଼ିତ ଉତ୍ପାଦ ୧୦.୨୭ ପ୍ରତିଶତ, ମସଲା ୨୧.୫୫ ପ୍ରତିଶତ, ଫଳ ୧୦.୯୫ ପ୍ରତିଶତ, ପନିପରିବା ୧୭.୭୦ ପ୍ରତିଶତ ବୃଦ୍ଧି ହୋଇଛି।

Exit mobile version