Site icon ଆଜିକାଲି

ତେଲେଙ୍ଗାନାର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡି

ହାଇଦ୍ରାବାଦ: ଅନୁମୁଲା ରେବନ୍ତ ରେଡି ଗୁରୁବାର ତେଲେଙ୍ଗାନାର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଲବି ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରେବନ୍ତ ରେଡିଙ୍କୁ ରାଜ୍ୟପାଳ ଟି.ସୌନ୍ଦରରାଜନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ମଲ୍ଲୁ ବି.ବିକ୍ରମାର୍କ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାଛଡ଼ା ଆଉ ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନେ ହେଲେ ଏନ୍ ଉତ୍ତମ କୁମାର ରେଡି, ସି ଦାମୋଦର ରାଜନରସିହ୍ମା, କୋମାଟରେଡି ଭେଙ୍କଟା ରେଡ୍ଡୀ, ସୀତାକା, ପୋନ୍ନମ୍ ପ୍ରଭାକର, ଶ୍ରୀଧର ବାବୁ, ତୁମଲା ନାଗେଶ୍ୱର ରାଓ, କୋଣ୍ଡା ସୁରେଖା, ଜୁପାଲୀ କୃଷ୍ଣ ପୋଙ୍ଗୁଲାଟି। ଶପଥ ଗ୍ରହଣ ଉତ୍ସବରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ। ତେଲେଙ୍ଗାନାରେ କଂଗ୍ରେସ ବିଜୟର ଶ୍ରେୟ ଦଳର ରାଜ୍ୟ ସଭାପତି ରେବନ୍ତଙ୍କୁ ଦିଆଯାଉଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରେଭନ୍ତ ରେଡ୍ଡୀ କଂଗ୍ରେସର ଚେହେରା ସାଜିଥିଲେ।

ରେବନ୍ତ ରେଡିଙ୍କ ଜନ୍ମ ୧୯୬୯ ମସିହାରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମହବୁବନଗରରେ । ଏବିଭିପିରୁ ତାଙ୍କର ଛାତ୍ର ରାଜନୀତି ଆରମ୍ଭ କରିଥିଲେ ରେବନ୍ତ । ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ। ସେ ୨୦୦୯ରେ ଟିଡିପି ଟିକେଟରେ ଆନ୍ଧ୍ରର କୋଡାଙ୍ଗଲରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରେବନ୍ତ ରେଡି ୨୦୧୪ର ତେଲେଙ୍ଗାନା ବିଧାନସଭାରେ ଟିଡିପିର ନେତା ଭାବେ ନିର୍ବାଚିତ ହୋଇଥିଲେ।
ରେବନ୍ତ ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ସେ ୨୦୧୮ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ। କିନ୍ତୁ କଂଗ୍ରେସ ତାଙ୍କ ଉପରେ ଭରସା ରଖି ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଥିଲା। ସେ ମାଲକଜଗିରିରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୨୧ରେ କଂଗ୍ରେସ ତାଙ୍କୁ ରାଜ୍ୟ ସଭାପତି ଭାବେ ବଡ଼ ଦାୟିତ୍ଵ ଦେଇଥିଲା । ସେହି ନିଷ୍ପତ୍ତି କଂଗ୍ରେସ ପାଇଁ ଏବେ ଫଳପ୍ରଦ ହୋଇଛି ।

Exit mobile version