Site icon ଆଜିକାଲି

ଉନ୍ନତ ଚିକିତ୍ସା ପାଇଁ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇ ନିଆଗଲା 

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଆହତ କ୍ରିକେଟର ରିଷଭ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଜି ଡେରାଡୁନରୁ ମୁମ୍ବାଇକୁ ଏୟାର ଲିଫ୍ଟ କରାଯାଇଛି । ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ମୁମ୍ବାଇରେ ଚିକିତ୍ସା କରିବ। ପନ୍ତଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଜଣାପଡିଛି । ଡିସେମ୍ବର ୩୦ରେ ଏକ କାର୍ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ପନ୍ତଙ୍କୁ ପ୍ରଥମେ ରୁରକିର ଏକ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା ପରେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେବେଠାରୁ ଏହି ୨୫ ବର୍ଷୀୟ ଖେଳାଳିଙ୍କ ଏଠାରେ ଚିକିତ୍ସା ଚାଲିଥିଲା ।

ଏହି ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ଆଣ୍ଠୁ ଏବଂ ଗୋଡରେ ଆଘାତ ଲାଗିଛି। ପ୍ରକାଶ ଯେ, ତାଙ୍କ ଆଣ୍ଠୁରେ ଥିବା ଚାରୋଟି ଲିଗାମେଣ୍ଟ ମଧ୍ୟରୁ ତିନିଟି ଛିଣ୍ଡିଯାଇଛି | ତେଣୁ ଉତ୍ତମ ଚିକିତ୍ସା ପାଇଁ ବିସିସିଆଇର ମେଡିକାଲ ଟିମ୍ ତାଙ୍କୁ ଡେରାଡୁନରୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପନ୍ତଙ୍କୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା ଏକ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ।

ଗତ ଶୁକ୍ରବାର ଉତ୍ତରାଖଣ୍ଡର ରୁରକି ସ୍ଥିତ ତାଙ୍କ ଘରକୁ ଯାଉଥିବା ବେଳେ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ତାଙ୍କ କାର୍ ଡିଭାଇଡରକୁ ପିଟି ହୋଇ ଜଳି ଯାଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ହରିୟାଣା ରୋଡଓ୍ବେଜର ବସ୍ ଡ୍ରାଇଭର ଓ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରିଥିଲେ । । ପୋଲିସର ସୂଚନାନୁସାରେ, ପନ୍ତ ନିଜେ ଡ୍ରାଇଭିଂ କରୁଥିଲେ ଓ ତାଙ୍କ ଆଖି ପଡିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।

Exit mobile version