Site icon ଆଜିକାଲି

ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ସଭାପତି


ମୁମ୍ବାଇ : ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରୋଜର ବିନ୍ନି ମଙ୍ଗଳବାର ବିସିସିଆଇର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ। ଏଠାରେ ଆଜି ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ବିନ୍ନି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ଜୟ ଶାହା କ୍ରମାଗତ ଦ୍ୱିତୀୟ ଥର ପାଇଁ ସଚିବ ଭାବେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ଏହି ଦୁଇ ପଦାଧିକାରୀଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ନିର୍ଦ୍ବନ୍ଦ୍ବରେ ​​ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଆଶିଷ ଶେଲାର, ଉପସଭାପତି ରାଜୀବ ଶୁକ୍ଲା ଏବଂ ଯୁଗ୍ମ ସଚିବ ଦେବଜିତ୍ ସାଇକିଆ ଅଛନ୍ତି।

ଭାରତ ପାଇଁ ୨୭ଟି ଟେଷ୍ଟ ଏବଂ ୭୨ଟି ଦିନିକିଆ ଖେଳିଥିବା ୬୭ ବର୍ଷୀୟ ବିନ୍ନି ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଏହି ପଦ ସମ୍ଭାଳୁଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଆସନ୍ତା ମାସରେ ମେଲବୋର୍ଣ୍ଣରେ ହେବାକୁ ଥିବା ବୋର୍ଡ ବୈଠକରେ ପରବର୍ତ୍ତୀ ଆଇସିସି ଅଧ୍ୟକ୍ଷ ଚୟନ କରାଯିବ। ଏଜିଏମ୍‌ରେ ଯୋଗ ଦେଇଥିବା ଜଣେ ରାଜ୍ୟ ସଂଘ ଅଧିକାରୀ କହିଛନ୍ତି ଯେ ଆଇସିସିରେ ଭାରତର ପ୍ରତିନିଧିତ୍ୱ କିଏ କରିବ ତାହା ଅଧିକାରୀଙ୍କ ଦ୍ବାରା ସ୍ଥିର ହେବ। ଆଇସିସି ଅଧ୍ୟକ୍ଷ ପଦ ବିଷୟରେ କୌଣସି ଆଲୋଚନା ହୋଇନଥିଲା। କେବଳ ଏଜେଣ୍ଡା ଉପରେ ଆଲୋଚନା କରାଯାଇଥିଲା। ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହେଉଛି ଅକ୍ଟୋବର ୨୦ । ଏଭଳି ସ୍ଥଳେ ଏହି ପଦ ପାଇଁ ବିସିସିଆଇ ପ୍ରାର୍ଥୀ ଦେବା ସମ୍ଭାବନା କମ୍ ।

Exit mobile version